ଜନ୍ମଦିନରେ ଚାଲିଗଲା ଜୀବନ: ଟ୍ରକ୍‌ ଧକ୍କାରେ ମା’ଓ ପୁଅ ମୃତ

ଅନୁଗୋଳ ଅଫିସ, ୧୩।୧୨-ପୁଅର ଜନ୍ମଦିନ ଥିବାରୁ ଧରମ ଅଜାଙ୍କ ସହ ସ୍କୁଟିରେ ବୁଢ଼ୀ ଠାକୁରାଣୀ ମନ୍ଦିର ଆସିଥିଲେ ମା’ ଓ ପୁଅ। ସେଠାରେ ପୂଜାର୍ଚ୍ଚନା ସାରି ଘରକୁ ଫେରିବା ବେଳେ ପଛପଟୁ ଆସୁଥିବା ଏକ ଟ୍ରକ୍‌ ସ୍କୁଟିକୁ ଧକ୍କା ଦେଇ ଚଢ଼ିଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ମା’ ଓ ପୁଅଙ୍କ ଜୀବନ ଚାଲିଯାଇଥିଲା। ଅନୁଗୋଳ ସହର ଦେଇ ଯାଇଥିବା ୫୫ନଂ. ଜାତୀୟ ରାଜପଥର ଦଶହରା ପଡ଼ିଆଠାରେ ଗୁରୁବାର ଅପରାହ୍ନରେ ଘଟିଥିବା ଏହି ଦୁର୍ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ସେମାନେ ରାଜପଥ ଅବରୋଧ କରିବାରୁ କିଛି ସମୟ ପାଇଁ ଗାଡ଼ି ଚଳାଚଳ ଠପ୍‌ ହୋଇଯାଇଥିଲା।
ପ୍ରକାଶ ଯେ, ଅନୁଗୋଳ ଜିଲା ଜରପଡ଼ା ଥାନା ବାଲିପଟା ମାଟିଗାଡ଼ିଆ ଗ୍ରାମର କବିତା ସାହୁ(୩୪)ଙ୍କ ପୁଅ ଶୁଭମ(୮)ଙ୍କର ଆଜି ଜନ୍ମଦିନ ଥିଲା। ବହୁ ପୂର୍ବରୁ ଶୁଭମଙ୍କ ବାପାଙ୍କ ମୃତ୍ୟୁ ହୋଇଯାଇଥିବାରୁ କବିତା ପୁଅକୁ ଅତି ଆଦରରେ ବଢ଼ାଇଥିଲେ। ଜନ୍ମଦିନ ପାଇଁ ସେ ନାନା ପ୍ରସ୍ତୁତି ମଧ୍ୟ କରିଥିଲେ। ତେବେ ଅପରାହ୍ନରେ ମା’ ବୁଢ଼ୀ ଠାକୁରାଣୀଙ୍କ ଆଶୀର୍ବାଦ ନେବାକୁ ଧରମବାପା ବସନ୍ତ ସାହୁଙ୍କ ସହ ସେ ସ୍କୁଟି (ନଂ. ଓଡି୩୫ଏ- ୮୪୨୩)ରେ ପୁଅକୁ ନେଇ ଅନୁଗୋଳ ସହରସ୍ଥିତ ମନ୍ଦିରକୁ ଆସିଥିଲେ। ସେଠାରେ ପୂଜାର୍ଚ୍ଚନା ସାରି ଘରକୁ ଫେରୁଥିବା ବେଳେ ମନ୍ଦିରଠାରୁ ମାତ୍ର ଶହେ ମିଟର ଦୂରରେ ପଛରୁ ଆସୁଥିବା ଏକ ଟ୍ରକ୍‌ (ନଂ. ଓଡି୧୭ପି-୭୮୩୩) ସ୍କୁଟିକୁ ଧକ୍କା ଦେଇଥିଲା। କବିତା ଓ ଶୁଭମ ରାସ୍ତା ଉପରେ ପଡ଼ିଯିବାରୁ ଦ୍ରୁତଗତିରେ ଥିବା ଟ୍ରକ୍‌ ସେମାନଙ୍କ ଉପରେ ଚଢ଼ି ଯାଇଥିଲା। ବସନ୍ତ ରାସ୍ତା ପାର୍ଶ୍ୱକୁ ଛିଟିକି ପଡ଼ିଥିବାରୁ ସେ ଆହତ ହୋଇଥିଲେ। ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକୋ କରିଥିଲେ। ତେବେ ଅନୁଗୋଳ ପୋଲିସ ପହଞ୍ଚି ବୁଝାଶୁଝା କରିବା ସହ ଦୁଇ ମୃତଦେହ ବ୍ୟବଚ୍ଛେଦ କରାଇ ପରିବାରକୁ ହସ୍ତାନ୍ତର କରିଥିଲା। ଏ ସଂକ୍ରାନ୍ତରେ ଥାନାରେ ଏକ ମାମଲା ରୁଜୁ କରାଯାଇଛି। ପୋଲିସ ଟ୍ରକ୍‌କୁ ଜବତ କରିଥିବାବେଳେ ଚାଳକ ଫେରାର ହୋଇଯାଇଛନ୍ତି।