ଜନ୍ମବେଦୀରେ ଦର୍ଶନ ଦେଲେ ଦାରୁଦିଅଁ : ମିଳିଲା ଆଡ଼ପ ଅବଢା, ରବିବାର ମହାପ୍ରଭୁଙ୍କ ବନକ ଲାଗି

ପୁରୀ ଅଫିସ, ୬ା୭: ଜନ୍ମବେଦୀରେ ଦର୍ଶନ ଦେଲେ ଦାରୁଦିଅଁ। ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ଶନିବାର ଲକ୍ଷାଧିକ ଶ୍ରଦ୍ଧାଳୁ ଚତୁର୍ଦ୍ଧାବିଗ୍ରହଙ୍କୁ ଦର୍ଶନ କରିଛନ୍ତି। ବର୍ଷା ଏବଂ କୋହଲା ପାଗ ସତ୍ତ୍ବେ ବିଶ୍ୱନିୟନ୍ତାଙ୍କ ଦର୍ଶନ ଲାଗି ଭକ୍ତଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ଦେଖିବାକୁ ମିଳିଥିଲା। ଏଥିସହ ମହାପ୍ରଭୁଙ୍କୁ ଲାଗି ହୋଇଛି ଅନ୍ନ ପ୍ରସାଦ। ଶ୍ରଦ୍ଧାଳୁ ବି ପାଇଛନ୍ତି ଆଡ଼ପ ଅବଢା। ଶନିବାର ସକାଳ ୬ଟା ୨୦ରେ ଦ୍ୱାରଫିଟା ଯାଇ ୭ଟାରେ ମଙ୍ଗଳ ଆଳତି କରାଯାଇଥିଲା। ଏହାପରେ ଅନ୍ୟାନ୍ୟ ନୀତି ବଢି ସକାଳ ୮ଟା ୪୫ରେ ଅବକାଶ ସରିଥିଲା। ଏହାପରେ ସାହାଣମେଲା ଦର୍ଶନ ହୋଇଥିଲା। ଶ୍ରଦ୍ଧାଳୁମାନେ ଗୁଣ୍ଡିଚା ମନ୍ଦିର ମୁଖ୍ୟ ଦ୍ୱାର ଦେଇ ଆଡପ ମଣ୍ଡପରେ ଚତୁର୍ଦ୍ଧାବିଗ୍ରହଙ୍କୁ ଦର୍ଶନ କରି ନାକଚଣା ଦ୍ୱାର ଦେଇ ବାହାରକୁ ବାହାରିଥିଲେ। ପ୍ରଥମ ଦିନରେ ପ୍ରାୟ ୨ ଘଣ୍ଟା ସାହାଣମେଲା ଦର୍ଶନ ହୋଇଥିଲା। ଏହାପରେ ପୂର୍ବାହ୍ନ ୧୧ଟା ୧୦ରେ ଗୋପାଳ ବଲ୍ଲଭ ସରିଥିଲା। ଅପରାହ୍ନ ୨ଟା ୧୫ରେ ସକାଳ ଧୂପ ନୀତି ବଢିଥିଲା। ପ୍ରାୟ ସାଢେ ୨ଟାରେ ବାହାରିଥିଲା ଆଡ଼ପ ଅବଢା। ପ୍ରଥମ ଦିନରେ ହଜାର ହଜାର ଭକ୍ତ ଆଡପ ଦର୍ଶନ କରି ଆଡ଼ପ ଅବଢା ପାଇଥିଲେ।
ଅନ୍ୟପକ୍ଷରେ ରବିବାର ଦାରୁବିଗ୍ରହଙ୍କର ବନକଲାଗି କରାଯିବ। ମଧ୍ୟାହ୍ନ ଧୂପ ପରେ ଦତ୍ତମହାପାତ୍ର ସେବକମାନେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ। ଜନ୍ମବେଦୀରେ ଠାକୁର ପହଞ୍ଚତ୍ବା ପରେ ବଡ଼ସିଂହାର ଓ ପହୁଡ ନୀତି ହେବାର ବିଧି ରହିଛି। କିନ୍ତୁ ସମୟ ଅଭାବରୁ ଏହି ନୀତି ପ୍ରାୟତଃ ହୋଇପାରି ନ ଥାଏ। ୨୦୦୫ରେ ସଅଳ ପହଣ୍ଡି ଯୋଗୁ ପହୁଡ ହୋଇଥିବା ବେଳେ ଏହା ପରଠାରୁ ୧୧ ବର୍ଷ ଧରି ପହୁଡ ସମ୍ଭବ ହୋଇ ନ ଥିଲା। କିନ୍ତୁ ଗତ ଦୁଇବର୍ଷ ସଅଳ ପହଣ୍ଡି ହେଉଥିବାରୁ ପହୁଡ ନୀତି ସମ୍ପନ୍ନ ହୋଇଥିଲା। ଏ ବର୍ଷ ମଧ୍ୟ ଠାକୁରଙ୍କ ପହୁଡ଼ ହୋଇଛି। ସଅଳ ପହଣ୍ଡି ଯୋଗୁ ଶୁକ୍ରବାର ରାତି ୪ଟାରେ ମହାପ୍ରଭୁଙ୍କ ପହୁଡ଼ ହୋଇଥିଲା।
ଶ୍ରୀମନ୍ଦିର ପ୍ରଶାସନର ଲୋକ ସମ୍ପର୍କ ଅଧିକାରୀ ଲକ୍ଷ୍ମୀଧର ପୂଜାପଣ୍ଡା କହିଛନ୍ତି, ଆସନ୍ତା ସୋମବାର ହେରାପଞ୍ଚମୀ। ଏହାର ପୂର୍ବଦିନ ମହାପ୍ରଭୁଙ୍କ ବନକଲାଗି ହେବାର ପରମ୍ପରା ରହିଛି। ତେଣୁ ରବିବାର ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ମଧ୍ୟାହ୍ନ ଧୂପ ପରେ ପଛଭୋଗ ମଣ୍ଡପ ଶେଷ ହୋଇ ବନକଲାଗି ନୀତି ଅନୁଷ୍ଠିତ ହେବ। ରାତି ପ୍ରାୟ ୯ଟାରୁ ଭକ୍ତଙ୍କ ଲାଗି ଦର୍ଶନ ବନ୍ଦ ରହିବ। ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଗୁଣ୍ଡିଚା ମନ୍ଦିରର ଜୟବିଜୟ ଦ୍ୱାର ବନ୍ଦ କରାଯିବ। ଦତ୍ତମହାପାତ୍ର ସେବକମାନେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ। ପ୍ରାକୃତିକ ପ୍ରଣାଳୀରେ ତିଆରି ପ୍ରସାଧାନରେ ଶ୍ରୀବିଗ୍ରହଙ୍କ ଶ୍ରୀମୁଖ ଶୃଙ୍ଗାର କରାଯିବ।

Share