ଜନ୍ମମାଟିରେ ଅର୍ଜୁନ ସେଠୀଙ୍କ ଶେଷକୃତ୍ୟ

ଭଦ୍ରକ ଅଫିସ/ବନ୍ତ,୧୦।୬(ଡି.ଏନ୍‌.ଏ./ସ୍ବ.ପ୍ର.)- ଭଦ୍ରକ ମାଟିର ବର୍ଷିୟାନ ରାଜନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ଚରଣ ସେଠୀଙ୍କ ଶେଷକୃତ୍ୟ ମଙ୍ଗଳବାର ଜନ୍ମମାଟି ବନ୍ତ ବ୍ଲକ ଓଡ଼ଙ୍ଗଠାରେ ସମ୍ପନ୍ନ ହୋଇଛି। ମରଶରୀରକୁ ଏକ ସୁସଜ୍ଜିତ ଗାଡ଼ିରେ ଭୁବନେଶ୍ୱରରୁ ଭଦ୍ରକ ଅଭିମୁଖେ ଅଣାଯାଇଥିଲା। ଭଦ୍ରକ ସହର ପରିକ୍ରମା କରାଯାଇ ବସ୍‌ଷ୍ଟାଣ୍ଡ ନିକଟସ୍ଥ ବାସଭବନ ଓ ଭାଜପା କାର୍ଯ୍ୟାଳୟକୁ ନିଆଯାଇଥିଲା। ସହର ପରିକ୍ରମା ସମୟରେ ଉଭୟପାର୍ଶ୍ୱ ଲୋକାରଣ୍ୟ ହୋଇଉଠିଥିଲା। ଏହି ସମୟରେ ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ବିଧାନସଭାର ବିରୋଧୀଦଳ ଉପନେତା ବିଷ୍ଣୁ ସେଠୀ, ଏମ୍‌ପି ମଞ୍ଜୁଲତା ମଣ୍ଡଳ, ବିଧାୟକ ସଞ୍ଜୀବ କୁମାର ମଲ୍ଲିକ, ବିଷ୍ଣୁବ୍ରତ ରାଉତରାୟ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ବାଲେଶ୍ୱର-ଭଦ୍ରକ ସମବାୟ ସମିତି ସଭାପତି ରଘୁନାଥ ଲେଙ୍କା, ଧାମନଗର ବ୍ଲକ ଅଧ୍ୟକ୍ଷ ଅଶୋକ ନାୟକ, ଭାଜପା ପୂର୍ବତନ ଜିଲା ସଭାପତି ବଦ୍ରିନାରାୟଣ ଧଳ, ଡ. ପ୍ରଦୀପ ନାୟକଙ୍କ ସମେତ ବିଜେଡ଼ି ଓ ଭାଜପାର ବହୁ ନେତୃବୃନ୍ଦ ଶେଷ ଦର୍ଶନ କରିଥିଲେ। ଏହାପରେ ତାଙ୍କ ଜନ୍ମ ମାଟି ତଥା ଓଡ଼ଙ୍ଗ ଗ୍ରାମକୁ ଶେଷକୃତ୍ୟ ପାଇଁ ନିଆଯାଇଥିଲା ା ଶୋଭାଯାତ୍ରା ଓଡ଼ଙ୍ଗ ଓ ସରମରା ପରିକ୍ରମା କରିବା ପରେ ତାଙ୍କ ବାସଭବନଠାରେ ପହଞ୍ଚତ୍ଥିଲା ା ଶବାଧାର ନିକଟରେ ଜ୍ୟେଷ୍ଠ ପୁତ୍ର ଅଭିମନ୍ୟୁ ସେଠୀ ଉପସ୍ଥିତ ଥିଲେ। ଶେଷ ଦର୍ଶନ ପାଇଁ ପୂର୍ବତନ ରାଜସ୍ବ ମନ୍ତ୍ରୀ ମନ ମୋହନ ସାମଲ, ପ୍ରତାପ ଧଳ, ପୂର୍ବତନ ବିଧାୟକ ପ୍ରଫୁଲ୍ଲ ଜେନା, ବ୍ଲକ ଅଧ୍ୟକ୍ଷ ଦେବେନ୍ଦ୍ର ଜେନା, ଉପାଧ୍ୟକ୍ଷା ମଞ୍ଜୁଲତା ଜେନା, ଜିଲା ପରିଷଦ ସଭ୍ୟା ରେବତୀ ନାୟକ, ଅଧ୍ୟାପକ ଡ.ସୁଧାଂଶୁ ନାୟକ, ବ୍ଲକ ବିଜେଡି ସଭାପତି କମଳାକାନ୍ତ ସାହୁ, ଭାଜପା ନେତ୍ରୀ ପଙ୍କଜିନୀ ଲେଙ୍କା, ବରିଷ୍ଠ ନେତା ଦେବେନ୍ଦ୍ର ତ୍ରିପାଠୀ, ଶିକ୍ଷକ ରମାକାନ୍ତ ରାଉତଙ୍କ ସମେତ ବିଭିନ୍ନ ଦଳର ନେତୃବୃନ୍ଦ ଯୋଗ ଦେଇ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ସୋମବାର ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଅର୍ଜୁନଙ୍କ ପରଲୋକ ଘଟିଥିଲା।