ଜନ୍ମର ୩୦ ଘଣ୍ଟା ପରେ କରୋନାଭାଇରସରେ ପୀଡିତ ହେଲେ ନବଜାତକ

ବେଜିଂ,୬।୨: ଚାଇନାରେ ମହାମାରୀର ରୂପ ନେଇଥିବା କରୋନାଭାଇରସ ଏବେ ସାରା ବିଶ୍ୱକୁ ବ୍ୟାପିବାରେ ଲାଗିଛି। ହେଲେ ଚାଇନାରେ ଏହାର ଭୟାବହତା କେତେ ତାହା ସେଠାକାର ମୃତ୍ୟୁହାର ଓ ଆକ୍ରାନ୍ତଙ୍କୁ ଦେଖି ସହଜରେ ଅନୁମାନ କରାଯାଇ ପାରୁଛି। ତେବେ ଗର୍ଭସ୍ଥ ସନ୍ତାନ ମଧ୍ୟ ଏଥିରୁ ବାଦ୍‌ ଯାଉ ନାହାନ୍ତି। ଖବର ଅନୁଯାୟୀ, ଉହାନ ସହରରେ ସଦ୍ୟ ଜନ୍ମ ନେଇଥିବା ଏକ ଶିଶୁ ୩୦ ଘଣ୍ଟା ପରେ କରୋନାଭାଇରସରେ ପୀଡିତ ହୋଇଛି। ଏହି ଖବର ଏବେ ଚର୍ଚ୍ଚାର ପରିସରକୁ ଆସିଛି। ଚାଇନାର ସରକାରୀ ଗଣମାଧ୍ୟମ ପକ୍ଷରୁ ବୁଧବାର ଏହି ସୂଚନା ଦିଆଯାଇଛି। ଏବେସୁଦ୍ଧା ଆକ୍ରାନ୍ତଙ୍କ ମଧ୍ୟରେ ଉକ୍ତ ନବଜାତକ ସବୁଠାରୁ କମ୍‌ ବୟସର କରୋନାଭାଇରସ ପୀଡିତ ବୋଲି କୁହାଯାଇଛି। ଡାକ୍ତରଙ୍କ କହିବା କଥା ହେଲା ଯେହେତୁ ମା’ କାରୋନାଭାଇରସରେ ପୀଡିତ ହୁଏତ ମାତୃଗର୍ଭରେ ଥିବା ଅବସ୍ଥାରେ ଶିଶୁଟି ଏଥିରେ ଆକ୍ରାନ୍ତ ହୋଇଥାଇ ପରେ ନଚେତ୍‌ ଜନ୍ମ ହେବା ମାତ୍ରେ ସେ କରୋନାଭାଇରସ କବଳକୁ ଆସିଯାଇଥାଇପାରେ। ସୂଚନାଯୋଗ୍ୟ, କରୋନାଭାଇରସରେ ଉହାନ ସହରରେ ସର୍ବାଧିକ ଲୋକ ପୀଡିତ ହୋଇଥିବା ବେଳେ ସର୍ବାଧିକ ଲୋକଙ୍କ ମୃତ୍ୟୁ ମଧ୍ୟ ସେହି ସହରରେ ହୋଇଛି। ଏବେ ଚାଇନାରେ କରୋନାଭାଇରସରେ ପ୍ରାୟ ୫୬୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୮ ହଜାରରୁ ଊର୍ଦ୍ଧ୍ୱ ଲୋକ ଏଥିରେ ଆକ୍ରାନ୍ତ ଅଛନ୍ତି।

Share