ଜନ୍ମାଷ୍ଟମୀ ଲାଗି ସାକ୍ଷୀଗୋପାଳ ମନ୍ଦିର ଚଳଚଞ୍ଚଳ

ସାକ୍ଷୀଗୋପାଳ, ୨୨।୮(ଡି.ଏନ୍‌.ଏ.)-ସାକ୍ଷୀଗୋପାଳ ମନ୍ଦିରରେ ଶୁକ୍ରବାର ଶ୍ରୀକୃଷ୍ଣ ଜନ୍ମୋତ୍ସବ ସମାରୋହରେ ପାଳିତ ହେବ। ଏଥି ନିମନ୍ତେ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚତ୍ଛି। ପରମ୍ପରା କ୍ରମେ ମନ୍ଦିରରେ ଶିଶୁ କୃଷ୍ଣଙ୍କ ଜନ୍ମବିଧି ପାଳନ ନିମନ୍ତେ ଅଭିମନ୍ତ୍ରିତ ଜଳ କଳସ ପାଣିପୂଜା ଅନୁଷ୍ଠିତ ହୋଇଛି। ମନ୍ଦିରର ପୁରାଣ ପଣ୍ଡିତ, ପୁରୋହିତ, ପୂଜାପଣ୍ଡା, ପାଳିଆପତ୍ରୀ ଓ ଆପଟ ସେବାୟତ ପାଣିପୂଜାରେ ସାମିଲ ହୋଇଥିଲେ। ପ୍ରତିବର୍ଷ ପରି ମନ୍ଦିର ସିଂହଦ୍ୱାର ସମ୍ମୁଖରେ ସେବାୟତ ସଂଘ ଆନୁକୂଲ୍ୟରେ ବିଶ୍ୱଶାନ୍ତି ମହାଯଜ୍ଞ ନିମନ୍ତେ ଯଜ୍ଞ ମଣ୍ଡପରେ ବୈଦିକ ବ୍ରହ୍ମଣ ମଣ୍ଡଳୀ ଅଧିବାସ, ମଣ୍ଡପ ସଂସ୍କାର, ଘଟ ସ୍ଥାପନ ଓ ଅଗ୍ନି ସ୍ଥାପନ କରିଛନ୍ତି। ଅଧ୍ୟାତ୍ମିକ ଭଜନ ସମାରୋହ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ନିମନ୍ତେ ଆକର୍ଷଣୀୟ ମଞ୍ଚସଜ୍ଜା ଶେଷ ହୋଇଛି। ରବିବାର ନିଶାର୍ଦ୍ଧରେ ମନ୍ଦିରରେ ସ୍ବତନ୍ତ୍ର ପୂଜାର୍ଚ୍ଚନା, ଜନ୍ମବିଧି ପାଳନ, କୋରାଭୋଗ ଆଦି ଶିଶୁ କୃଷ୍ଣଙ୍କୁ ଦୋଳାୟମାନ କରାଯିବାର କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇଛି। ସୂଚନାଯୋଗ୍ୟ ସାକ୍ଷୀଦେବାକୁ ବୃନ୍ଦାବନରୁ ଚାଲିଚାଲି ଆସିଥିବା ଗୋପାଳ ସାକ୍ଷୀଗୋପାଳ ଭାବରେ ବିରାଜମାନ ହୋଇଥିବାରୁ ଜନ୍ମାଷ୍ଟମୀ ଅବସରରେ ସାକ୍ଷୀଗୋପାଳ ମନ୍ଦିରରେ ଶ୍ରଦ୍ଧାଳୁ ମାନଙ୍କର ସମାଗମ ହୋଇଥାଏ।