ଜନ ଆନ୍ଦୋଳନଙ୍କ ରାଷ୍ଟ୍ରୀୟ ସମନ୍ବୟ ସମ୍ମିଳନୀ; ହକ୍‌ ମାଗିବା ଭିକ୍ଷା ନୁହେଁ: ମେଧା

ପୁରୀ ଅଫିସ, ୨୪।୧୧: ବର୍ତ୍ତମାନ ସରକାରଙ୍କ ବିଦେଶୀକରଣ ଓ କମ୍ପାନୀକରଣ ପ୍ରୀତି ଚାଲିଛି, ଯାହାକି ଏକ ସୁସ୍ଥ ସମାଜ ପାଇଁ ଠିକ୍‌ ନୁହେଁ। ଏହାକୁ ପରିତ୍ୟାଗ କରି ଗ୍ରାମୀଣ ବିକାଶ ପ୍ରତି ଗୁରୁତ୍ୱ ଦେବାକୁ ହେବ। ଏଥିଲାଗି ଆମ ଶକ୍ତିକୁ ୨୫ଗୁଣା ବୃଦ୍ଧି କରିବାକୁ ପଡ଼ିବ ବୋଲି କହିଛନ୍ତି ନର୍ମଦା ବଞ୍ଚାଅ ଆନ୍ଦୋଳନର ନେତ୍ରୀ ମେଧା ପାଟେକର। ସ୍ଥାନୀୟ ଡୁଡୁୱାଲା ଧର୍ମଶାଳା ପରିସରରେ ଶନିବାରଠାରୁ ଆରମ୍ଭ ହୋଇଥିବା ଜନଆନ୍ଦୋଳନମାନଙ୍କ ରାଷ୍ଟ୍ରୀୟ ସମନ୍ବୟ ସମ୍ମିଳନୀ ଉଦ୍‌ଘାଟନୀ ସଭାରେ ଯୋଗଦେଇ ପାଟେକର କହିଥିଲେ, ସରକାର ତାଙ୍କ ନିଷ୍ପତ୍ତିକୁ ଜନସାଧାରଣଙ୍କ ଉପରେ ଲଦି ଦେବା ଠିକ୍‌ ନୁହେଁ। ଲୋକଙ୍କ ଇଚ୍ଛାକୁ ଦେଖି ସରକାରଙ୍କୁ ଆକ୍ସନ ପ୍ଲାନ ପ୍ରସ୍ତୁତ କରିବାକୁ ହେବ। ଆଦିବାସୀ, ଦଳିତ, ମଜ୍‌ଦୁରଙ୍କ ବିକାଶ ନେଇ ଚିନ୍ତା କରାଯିବା ଦରକାର। ସେହିପରି ପୁରୀ ବଡ଼ଦାଣ୍ଡର ଉଠାଦୋକାନୀଙ୍କ ସମସ୍ୟା କଥା ଉଠାଇ ସେ କହିଥିଲେ, ଆମେ ଆମର ହକ୍‌ ମାଗିବା, ଭିକ୍ଷା ନୁହେଁ। ସଙ୍ଗଠନାତ୍ମକ ସଂହିତା ଆଚାର ଭିତରେ ରହି ଅଧିକାର ପାଇଁ ଲଢେଇ କରିବାକୁ ସେ ଆହ୍ବାନ ଦେଇଥିଲେ। ଏହି ଅବସରରେ ସେ ଦେଶର କେତେକ ପ୍ରମୁଖ ଆନ୍ଦୋଳନ ସହ ଓଡ଼ିଶାର ନିୟମଗିରି, କାଶୀପୁର କଥା ଉଠାଇଥିଲେ। କମ୍ପାନୀ ପ୍ରୀତି ଯୋଗୁ ଲୋକଙ୍କୁ କିପରି ସେମାନଙ୍କ ହକ୍‌ରୁ ବଞ୍ଚତ୍ତ କରାଯାଉଛି ତାହା କହିଥିଲେ। ଜମି, ଜଳ ଓ ଜଙ୍ଗଲ ଉପରେ ଲୋକଙ୍କ ଅଧିକାର ପ୍ରସଙ୍ଗରେ କହିବାବେଳେ କଶ୍ମୀରରୁ ୩୭୦ ଧାରା ଉଚ୍ଛେଦର ଉଦାହରଣ ଦେଇଥିଲେ। ପ୍ରତ୍ୟେକ ରାଜ୍ୟର ଜମି, ଜଙ୍ଗଲ ଓ ଜଳ ଉପରେ ସେହି ରାଜ୍ୟବାସୀଙ୍କ ହକ୍‌ ରହିଛି। ଏହା ଉପରେ ଅନ୍ୟ କେହି ଅଧିକାର ଜାହିର କଲେ କଡ଼ା ଜବାବ ଦିଆଯିବ ବୋଲି ସେ କହିଥିଲେ। ଅଯୋଧ୍ୟା ପ୍ରସଙ୍ଗ ଏକତାର ବଡ଼ ଉଦାହରଣ ବୋଲି ମତ ରଖିଥିଲେ। ସରକାରଙ୍କ ନଦୀ ସଂଯୋଗୀକରଣ ନିଷ୍ପତ୍ତିକୁ ସେ ବିରୋଧ କରିଥିଲେ। ଅନ୍ୟତମ ଅତିଥି ଭାବେ ବେଜୱାଡ ଓଲସନ୍‌ ଯୋଗଦେଇଥିଲେ। ପ୍ରଫୁଲ୍ଲ ସାମନ୍ତରା କହିଥିଲେ, ଜଳ, ଜଙ୍ଗଲ, ଜମି ଧ୍ୱଂସ ଯୋଗୁ ପରିବେଶ ନଷ୍ଟ ହେଉଛି। ଲୋକଙ୍କ ଅଧିକାର, ବେକାରୀ ସମସ୍ୟା, ଆର୍ଥିକ ବିକାଶ ପ୍ରତି କେହି ଗୁରୁତ୍ୱ ଦେଉନାହାନ୍ତି। ପ୍ରଫେସର ମନୋରଞ୍ଜନ ମହାନ୍ତିଙ୍କ ଅଧ୍ୟକ୍ଷତା ଓ ଆଶିଷ ରଞ୍ଜନଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଅରୁଣା ରାୟ, ତିସ୍ତା ଶୀତଲଭଦ୍‌ ଉପସ୍ଥିତ ଥିଲେ। ପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା।