ଜବତ ଗାଡିକୁ ଛାଡିଦେଇ ହରଡଘଣାରେ ପୋଲିସ

ସମ୍ବଲପୁର, ୩।୪ (ବ୍ୟୁରୋ)- ସମଗ୍ର ରାଜ୍ୟରେ କରୋନା କଟକଣା ଲାଗିଥିବା ବେଳେ ସମସ୍ତ ଉନ୍ନୟନମୂଳକ କାମ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ରହିଛି । ହେଲେ ସଚେତନ ଅଭାବ ଯୋଗୁ ସମ୍ବଲପୁର ଜିଲା ଗଡଲୁଇସିଂ ପଞ୍ଚାୟତ ଗହିରପାଲି ଗ୍ରାମର ଦୟାନିଧି ବଘାର ତାଙ୍କ ନିଜସ୍ବ ଜମିରେ ପୋଖରୀ ଖନନ କରୁଥିଲେ । ଖବର ପାଇଁ ଯୁଯୁମୁରା ପୋଲିସ ଓ ତହସିଲଦାର ସୁମନ ମିଞ୍ଜ ଚଢ଼ାଉ କରି ୪ଟି ଟ୍ରାକ୍ଟର ଓ ଗୋଟିଏ ଜେସିବି ଜବତ କରିଥିଲେ । ଉକ୍ତ ଗାଡିଗୁଡିକୁ ପୋଲିସ ମୋଟା ଅଙ୍କର ଟଙ୍କା ନେଇ ଛାଡି ଦେଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଜଣେ ସରପଞ୍ଚ ମଧ୍ୟସ୍ତ କରିଥିବା ଚର୍ଚ୍ଚା ହେଉଛି । ଏସ୍‌ପି କନୱର ବିଶାଳ ସିଂଙ୍କ ପାଖରେ ଅଭିଯୋଗ ହେଲାପରେ ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି । ଏସପି ସିଂ ଜଣେ ଡିଏସପି ପାହ୍ୟାର ଅଧିକାରୀଙ୍କୁ ତଦନ୍ତ ଭାର ଦେଇଛନ୍ତି। ଶୁକ୍ରବାର ଯୁଯୁମୁରା ଥାନା ପୋଲିସ ଟାକ୍ଟର ଓ ଜେସିବି ମାଲିକ ଏବଂ ପୋଖରୀ ଖୋଳୁଥିବା ଦୟାନିଧିଙ୍କ ଘରକୁ ଯାଇ ଆପୋଷ ବୁଝାମଣା କରି ଅନୁରୋଧ କରିଥିବା ଜଣାପଡିଛି । ଏହି ଘଟଣାରେ ମୂଲଚାଲ ହେଉଥିବା ଅଡିଓ ଟେପ୍‌ ମଧ୍ୟ ଭାଇରାଲ ହୋଇଛି । ଅଭିଯୋଗରେ ୪ଟି ଟ୍ରାକ୍ଟର ଓ ପୋଖରୀ ଖୋଳୁଥିବା ଜମି ମାଲିକ ଦିବାକର ମୋଟ ୨୮ ହଜାର ଟଙ୍କା ଦେଇଥିବା ସ୍ବୀକାର କରିଛନ୍ତି । ସେହିରି ପୋଲିସ ପିସିଆର ଭ୍ୟାନରେ ଡିଜେଲ ପକାଇଥିବା ଅଭିଯୋଗ ହୋଉଛି । ବାଧ୍ୟତାମୂଳକ ଭାବେ ଗାଡିକୁ ମୁକାଳିବା ପାଇଁ ଟଙ୍କା ଦେଇଥିବା ସେ ସ୍ବୀକାର କରିଛନ୍ତି । ଅନ୍ୟପଟେ ପୋଲିସ ଜେସିବି ମାଲିକଙ୍କଠାରୁ ୫୦ ହଜାର ଟଙ୍କା ନେଇଥିବା ମଧ୍ୟ ଅଭିଯୋଗ ହେଉଛି । ତହସିଲଦାର ମିଞ୍ଜ ଅଭିଯୋଗ ପତ୍ରରେ ଦର୍ଶାଇଥିବା ଗାଡି ନମ୍ବର ଓ ପୋଲିସ ମାମଲା ରୁଜୁ କରିଥିବା ଗାଡି ନମ୍ବରର ତାଳମେଳ ରହୁନାହିଁ । ସେହିପରି ଟ୍ରାକ୍ଟର ଗୁଡିକର ଟ୍ରଲି ରେଜିଷ୍ଟ୍ରେସନ ହୋଇ ନ ଥିବା ବେଳେ କେତୋଟି ଗାଡିର ବୀମା, ପଲ୍ୟୁସନ ପ୍ରମାଣପତ୍ର ମଧ୍ୟ ନ ଥିବା ଜଣାପଡିଛି । ପୋଲିସ ପକ୍ଷରୁ ଦିଆଯାଇଥିବା ସୂଚନାରେ ଏକ ବାଇକ ନମ୍ବର ରହିଛି । କରୋନା କଟକଣା ଥିବା ସମୟରେ ଗାଡି ଜବତ କରିବା ପୋଲିସକୁ ଏକ ସଫଳତା ମିଳିଥିଲା । ଏହାକୁ ନେଇ ବିଭିନ୍ନ ମହଲରେ ସ୍ବାଗତ କରାଯାଇଥିଲା । ହେଲେ ପୋଲିସର ଏଭଳି କାର୍ଯ୍ୟକୁ ନେଇ ନିନ୍ଦା କରାଯାଇଛି । ତେଣୁ ଏହି ଘଟଣାକୁ ଉଚିତ ଭାବେ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ କରାଯାଉ ବୋଲି ଅଞ୍ଚଳରେ ଦାବି ହେଉଛି । ତେବେ ଏ ସମ୍ପର୍କରେ ଯୁଯୁମୁରା ଥାନା ଅଧିକାରୀ ତାରାବତୀ ପ୍ରଧାନ କହିଛନ୍ତି ଯେ, ହାତୀ ଆକ୍ରମଣରେ ଗୋଟିଏ ପରିବାରର ୩ଜଣ ଓ ପାଣିରେ ବୁଡି ଜଣେ ମୃତ୍ୟୁ ଘଟିଥିବା ଘଟଣାରେ ଦୁଇ ଦିନ ହେଲା ସେ ତଦନ୍ତରେ ବ୍ୟସ୍ତ ରହିଥିଲେ। ଥାନାରେ କର୍ମଚାରୀ ଅଭାବ ରହିଛନ୍ତି। ତେଣୁ ସେହି ମାମଲାର ତଦନ୍ତରେ ବିଳମ୍ବ ହୋଇଛି ବୋଲି କହିଥିଲେ।

Share