ଜବତ ଚାଉଳର ତଦନ୍ତ ଦାବି: ବ୍ଲକ କାର୍ଯ୍ୟାଳୟ ଘେରିଲା ଭାଜପା

ତିହିଡି,୭।୧(ଡି.ଏନ.ଏ.):ଭଦ୍ରକ ଜିଲା ତିହିଡି ବଜାରସ୍ଥିତ ଏକ ବ୍ୟକ୍ତିଗତ ଘର ସାମ୍ନାରୁ ଶନିବାର ସରକାରୀ ଚାଉଳ ଜବତ ହୋଇଥିଲା। ୨ଟି ଟ୍ରକରେ ବୋଝେଇ ହୋଇ ଚାଉଳ ରହିଥିବାବେଳେ ତହସିଲଦାର ରମେଶ ଚନ୍ଦ୍ର ପଣ୍ତା ଏହାକୁ ଅଟକ ରଖିଥିଲେ। ପରେ ଚାଉଳକୁ ଜବତ କରାଯାଇ ଥାନାରେ ରଖାଯାଇଥିଲା। ତେବେ ଜବତ ହୋଇଥିବା ଚାଉଳର ନିରପେକ୍ଷ ତଦନ୍ତ ଏବଂ କାର୍ଯ୍ୟାନୁଷ୍ଠାନ ଦାବିରେ ମଙ୍ଗଳବାର ମଧ୍ୟାହ୍ନରେ ଭାଜପା ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା। ପରେ ଭାଜପା ନେତାମାନେ ବିଡିଓ ଦାୟିତ୍ୱରେ ଥିବା ତହସିଲଦାର ପଣ୍ତାଙ୍କୁ ଭେଟିଥିଲେ। ଜବତ ଚାଉଳ ଶିଶୁ ବିକାଶ ଯୋଜନାର ବୋଲି ସିଡିପିଓ କହିଥିଲେ ମଧ୍ୟ ପ୍ରଶାସନ କାହିଁକି ସ୍ପଷ୍ଟ କରୁନାହିଁ ବୋଲି ସେମାନେ ପ୍ରଶ୍ନ ଉଠାଇଥିଲେ। ତେବେ ଜିଲା ସ୍ତରରେ ଏକ ୫ଜଣିଆ କମିଟି ଗଠନ କରାଯାଇଛି। ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା କମିଟି ରିପୋର୍ଟ ଦେବା ପରେ ସବୁକିଛି ସ୍ପଷ୍ଟ ହୋଇଯିବ ବୋଲି ତହସିଲଦାର କହିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା। ଜିଲା ସଭାପତି ହେମନ୍ତ ପାଢୀ, ପୂର୍ବତନ ସଭାପତି ବଦ୍ରିନାରାୟଣ ଧଳ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶୁକଦେବ ମଲିକ, ଦୁର୍ଗାଚରଣ ନାୟକ, ରଘୁନାଥ ପାତ୍ର, ମଣ୍ତଳ ସଭାପତି ରାଜାରାମ ମହାକୁଡ, ପ୍ରଦୀପ ବଳ, ଉମାକାନ୍ତ ଦାସ, ଶଶିକାନ୍ତ ବିଶ୍ୱାଳ ପ୍ରମୁଖଙ୍କ ନେତୃତ୍ୱରେ ଘେରାଉ ହୋଇଥିଲା।

Share