Categories: ବାଣିଜ୍ୟ

ଜବତ ଦସ୍ତାବିଜ ଫେରିପାଇବା ଉଦ୍ୟମ;ଟ୍ରିବ୍ୟୁନାଲଙ୍କ ଦ୍ୱାରସ୍ଥ ହେଲେ କୋଚ୍ଚରଙ୍କ କମ୍ପାନୀ

ନୂଆଦିଲ୍ଲୀ,୧୫-୫: ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ସିଇଓ ତଥା ଏମ୍‌ଡି ଚନ୍ଦା କୋଚ୍ଚର ଏବଂ ଦୀପକ କୋଚ୍ଚରଙ୍କ ସହ ଜଡ଼ିତ କମ୍ପାନୀ ନିଜର ଜବତ ହୋଇଥିବା ଦସ୍ତାବିଜ ଫେରିପାଇବା ଲାଗି ପ୍ରିଭେନ୍ସନ ଅଫ୍‌ ମନି ଲଣ୍ଡରିଂ ଆକ୍ଟ ଆପିଲେଟ ଟ୍ରିବ୍ୟୁନାଲଙ୍କ ଦ୍ୱାରସ୍ଥ ହୋଇଛି। ମାର୍ଚ୍ଚ ପହିଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପ୍ୟାସିଫିକ୍‌ କ୍ୟାପିଟାଲ ସର୍ଭିସେସ୍‌ ପ୍ରାଇଭେଟ ଲିମିଟେଡ ଏବଂ କ୍ୱାଲିଟି  ଟେକ୍ନୋ ଆଡ୍‌ଭାଇଜର୍ସ ପ୍ରାଇଭେଟ ଲିମିଟେଡ କମ୍ପାନୀରେ  ଚଢ଼ାଉ କରିଥିଲେ ଏବଂ ଦସ୍ତାବିଜ ଜବତ କରିଥିଲେ। ଚନ୍ଦା ଏବଂ ଦୀପକଙ୍କ ନିକଟରେ ଏହି ଦୁଇ କମ୍ପାନୀର ଶେୟାର ରହିଛି। ଉକ୍ତ ଦୁଇ କମ୍ପାନୀ ପକ୍ଷରୁ ବରିଷ୍ଠ ଓକିଲ ବିଜୟ ଅଗ୍ରଓ୍ବାଲ ଯୁକ୍ତି ଦର୍ଶାଇଥିଲେ ଯେ, ସିବିଆଇ ଦ୍ୱାରା ଚଳିତବର୍ଷ ଜାନୁୟାରୀ ୨୨ରେ ଦାଏର ହୋଇଥିବା ଏତଲାରେ ଉକ୍ତ ଦୁଇ କମ୍ପାନୀଙ୍କ ନାମ ନ ଥିଲା। କମ୍ପାନୀର ଲାପ୍‌ଟପ୍‌ ଓ ଇଲେକ୍ଟ୍ରୋନିକ ରେକର୍ଡ ଜବତ କରିବା କାରଣରୁ ଦୈନନ୍ଦିନ କାମ ବାଧାପ୍ରାପ୍ତ ହେଉଛି। ଅନ୍ୟପକ୍ଷରେ ମଙ୍ଗଳବାର ମଧ୍ୟ ଚନ୍ଦା ଓ ତାଙ୍କ ସ୍ବାମୀ ଦୀପକ କୋଚ୍ଚରଙ୍କୁ ଇଡି ଜେରା କରିଥିଲା। ସୂଚନାଥାଉ କି, ଭିଡିଓକନ ଗ୍ରୁପ୍‌କୁ ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ୧୮୭୫ କୋଟି ଟଙ୍କାର ଋଣ ପ୍ରଦାନ କରାଯାଇଥିଲା। ଏଥିରେ ଦୁର୍ନୀତି ହୋଇଥିବାର ଅଭିଯୋଗ କରାଯାଇଛି।

Share