ଜବତ ମାଙ୍କଡ଼ା ବୋଝେଇ ୩ ଟ୍ରକ ଛଡାଇନେଲେ: ତହସିଲଦାରଙ୍କ ପାଖରେ ନାହିଁ ଖବର

ରଣପୁର,୨ା୧୧(ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ତହସିଲ ପଟିଆ ଗଁ।ରେ ଗୁରୁବାର ରାତିରେ ଫୋର୍ସଙ୍କ ଉପସ୍ଥିତିରେ ଜବତ ହୋଇଥିବା ୪ ମାଙ୍କଡା ପଥର ବୋଝେଇ ଟ୍ରକ ମଧ୍ୟରୁ ୩ଟିକୁ ପଥର ଚୋର ଛଡାଇ ନେଇଛନ୍ତି। ପରେ ଚାନ୍ଦପୁର ଥାନା ପୋଲିସ ସହାୟତାରେ ରାଜସ୍ବ କର୍ମଚାରୀମାନେ ଗୋଟିଏ ଟ୍ରକକୁ ନିଜ ହେପାଜତକୁ ଆଣିଥିଲେ। ହେଲେ ପଥର ଚୋରଙ୍କ ଏହି କାରନାମା ବିଷୟରେ ରଣପୁର ତହସିଲଦାରଙ୍କ ପାଖରେ କୌଣସି ଖବର ନାହିଁ। ଏ ସମ୍ପର୍କରେ ତହସିଲଦାର ସୁଶାନ୍ତ ପତିଙ୍କୁ ଯୋଗାଯୋଗ କରିବାରୁ ସେ ଗୋଟିଏ ୪୦୭ ଟ୍ରକ ଜବତ ହୋଇଥିବା କହିଥିଲେ। ଗଣମାଧ୍ୟମରୁ ଖବର ଜାଣିବା ପରେ ଘଟଣା ସମ୍ପର୍କରେ ବୁଝିବେ ବୋଲି କହିଥିଲେ। ସୂଚନାଯୋଗ୍ୟ ଗୁରୁବାର ରାତିରେ ରାଜସ୍ବ କର୍ମଚାରୀ ୪ଟି ମାଙ୍କଡା ବୋଝେଇ ୪୦୭ ଟ୍ରକ ଜବତ କରିଥିଲେ। ପଥର ଚୋର ମେଳିବାନ୍ଧି ୩ଟି ଟ୍ରକ ଛଡାଇ ନେଇଥିଲେ।
୧୪୪ ଧାରା ଜାରି ସତ୍ତ୍ୱେ ଚାଲିଛି ବେଆଇନ ଖଣି ଖନନ
ଚାନ୍ଦପୁର ଥାନା ଅଞ୍ଚଳରେ ବେଆଇନ ମାଙ୍କଡା ପଥର ଓ ମୋରମ ଖଣି ଉପରେ ରଣପୁର ତହସିଲ ପକ୍ଷରୁ ଲଗାମ ଲଗାଯାଇଛି । ସବୁ ଖଣି ଉପରେ ୧୪୪ ଧାରା ଜାରି ହୋଇଥିବାରୁ ଖଣି ଖନନ ଓ ମୋରମ ଚାଲାଣ ବନ୍ଦ ହେବା କଥା। କିନ୍ତୁ ଅବାଧରେ ଚାଲିଛି ବେଆଇନ ଖଣି ଖନନ। ରାଜସ୍ବ ବିଭାଗ ପକ୍ଷରୁ ପୋତାଯାଇଥିବା ନାଲି ପତାକାକୁ ଖଣି ଚୋରମାନେ ଉପାଡି ଫୋପାଡି ଦେଇଛନ୍ତି। ଆଉ କିଛି ଯୁବକଙ୍କୁ ଗୁପ୍ତଚର ଭାବେ ନିୟୋଜିତ କରି ବେଆଇନ ଖଣି ଖନନ ଚାଲୁ ରଖିଛନ୍ତି। ଜଣେ ଖଣି ମାଫିଆଙ୍କ ସୂଚନା ଅନୁସାରେ କିଛି ସରକାରୀ କର୍ମଚାରୀ, ଅଧିକାରୀ, ରାଜନେତାଙ୍କୁ ମାସିକିଆ ଟଙ୍କା ଦିଆଯାଉଥିବାରୁ ୧୪୪ ଧାରା ଶୀତଳଭଣ୍ଡାରରେ ପଡିରହିଛି । ଯାହା ଚଢ଼ାଉ ହେବ ତାହା ଲୋକ ଦେଖାଣିଆ ବୋଲି ସେ କହିଛନ୍ତି। ୧୪୪ ଧାରା ଜାରି ପରେ ବେଆଇନ ଖଣି ଖନନ ବନ୍ଦହେଉ ନ ଥିବାରୁ ଚାନ୍ଦପୁରରେ ଜିଲା ପ୍ରଶାସନ ପକ୍ଷରୁ ୪ ଏପିଆର ଓ ଜଣେ ହାବିଲଦାର ନିୟୋଜିତ କରାଯାଇଛି। ଫୋର୍ସଙ୍କ ସହ ତହସିଲ କର୍ମଚାରୀ ଚଢ଼ାଉରେ ସାମିଲ ହେବେ। ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହୋଇ ସାରିଲାଣି । ତେବେ ଫୋର୍ସଙ୍କ ହାତରେ ଆତ୍ମରକ୍ଷା ଓ ଭୟ ସୃଷ୍ଟି କରିବା ପାଇଁ ଅସ୍ତ୍ରଶସ୍ତ୍ର ନ ଥିବାରୁ ଖଣି ମାଫିଆ ଏଥିରେ ସାବାଡ ହେବା ପରି ଲାଗୁନି ବୋଲି ସାଧାରଣରେ ମତପ୍ରକାଶ ପାଉଛି।

Share