ଜବରଦଖଲ ଉଚ୍ଛେଦକୁ ନେଇ ଅଡୁଆ ପରିସ୍ଥିତି

ଭଦ୍ରକ ଅଫିସ/ବନ୍ତ,୬।୧୨(ଡି.ଏନ.ଏ.)- ଭଦ୍ରକ ଜିଲା ବନ୍ତ ତହସିଲ କାର୍ଯ୍ୟାଳୟରେ ପଶି ଜଣେ ବ୍ୟକ୍ତି ତହସିଲଦାରଙ୍କୁ ଦୁର୍ବ୍ୟବହାର କରିବା ସହ ହତ୍ୟା ଧମକ ଦେଇଥିବା ନେଇ ଅଭିଯୋଗ ହୋଇଛି। ଏ ସମ୍ପର୍କରେ ତହସିଲଦାର ଇନ୍ଦିରା ସାହୁ ବନ୍ତ ଥାନାରେ ଅଭିଯୋଗ କରିବା ସହ ଜିଲାପାଳ, ଉପଜିଲାପାଳ, ଜିଲା ଆରକ୍ଷୀ ଅଧୀକ୍ଷକଙ୍କୁ ଅବଗତ କରାଇଛନ୍ତି। ପୋଲିସ ଏକ ମାମଲା(ନଂ. ୧୬୪/୧୯) ରୁଜୁ କରି ତଦନ୍ତ ଚଳାଇଛି। ବୁଧବାର ସେ ଅଫିସରେ କାର୍ଯ୍ୟରତ ଥିବାବେଳେ ୩ ଜଣ ସ୍ଥାନୀୟ ବ୍ୟକ୍ତି ଅଫିସ ଭିତରକୁ ଆସିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ତାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ସହିତ ହତ୍ୟା ଧମକ ଦେଇଥିବା ଏତଲାରେ ଦର୍ଶାଇଛନ୍ତି। ତେବେ ବନ୍ତ ବଜାରରେ ଜବରଦଖଲ ଉଚ୍ଛେଦକୁ ନେଇ ଏଭଳି ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଥିବା ଜାଣିବାକୁ ମିଳିଛି। ଏହି ଘଟଣାରେ ସୁରକ୍ଷା ଦାବି କରି କର୍ମଚାରୀ ଓ ରାଜସ୍ବ ନିରୀକ୍ଷକମାନେ ଗୁରୁବାର ତହସିଲ ଅଫିସ ସମ୍ମୁଖରେ କଲମଛାଡ଼ ଆନ୍ଦୋଳନ କରିଥିଲେ। ଅପରପକ୍ଷରେ ଜଣେ ଆଇନଜୀବୀ, ବ୍ୟବସାୟୀ ଓ ସ୍ଥାନୀୟ ଲୋକଙ୍କୁ ତହସିଲଦାର ଦୁର୍ବ୍ୟବହାର କରିଥିବା ଥାନାରେ ପାଲଟା ଅଭିଯୋଗ ହୋଇଛି। ହେଲେ ଏ ନେଇ ବନ୍ତ ଥାନା ପୋଲିସ ମାମଲା ରୁଜୁ କରି ନ ଥିବାରୁ ଶତାଧିକ ବ୍ୟକ୍ତି ଥାନା ଆଗରେ ଧାରଣା ଦେଇଥିଲେ।
ମିଳିଥିବା ସୂଚନା ଅନୁଯାୟୀ, ବନ୍ତ ବଜାରରେ ଦୁଇ ଜଣ ମହକିଲଙ୍କର ଘର ଭାଙ୍ଗିବା ସମ୍ପର୍କରେ ତହସିଲଦାରଙ୍କୁ ସାକ୍ଷାତ କରି ଆଲୋଚନା ପାଇଁ ଜଣେ ଆଇନଜୀବୀ ବୁଧବାର ମହକିଲଙ୍କୁ ଧରି ତହସିଲ କାର୍ଯ୍ୟାଳୟକୁ ଯାଇଥିଲେ। ସେଠାରେ ଆଲୋଚନା ବେଳେ ତହସିଲଦାର ତାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ସହ ହତ୍ୟା ଧମକ ଦେଇଥିବା ନେଇ ସେ ବୁଧବାର ଅଭିଯୋଗପତ୍ରରେ ଦର୍ଶାଇଛନ୍ତି। ମାତ୍ର ପୋଲିସ ମାମଲା ରୁଜୁ କରି ନ ଥିବାରୁ ଗୁରବାର ଆଇନଜୀବୀଙ୍କ ସମେତ ବନ୍ତ ବଜାରର ବ୍ୟବସାୟୀ, ସ୍ଥାନୀୟ ଲୋକେ କାର୍ଯ୍ୟାନୁଷ୍ଠାନ ଦାବିରେ ଥାନା ଆଗରେ ଧାରଣା ଦେଇଥିଲେ। ଏହାକୁ ସମର୍ଥନ ଜଣାଇ ସିପିଆଇର ଜିଲା ସମ୍ପାଦକ ଶୁଭେନ୍ଦ୍ର ପ୍ରତାପ ମହାନ୍ତି, ବରିଷ୍ଠ ସିପିଆଇ ନେତା ଗୋପବନ୍ଧୁ ସେଠୀ, ଜୋନ୍‌ ସମ୍ପାଦକ ରମେଶ ଜେନା, ନିରଞ୍ଜନ ନାୟକ, ଅଭିମନ୍ୟୁ ଜେନା ଓ କିଶୋର ବେହେରା ପ୍ରମୁଖ ଧାରଣାସ୍ଥଳରେ ଉପସ୍ଥିତ ରହିଥିଲେ। ତେବେ ଏହି ଘଟଣାକୁ ନେଇ ଭଦ୍ରକର ଆଇନଜୀବୀମାନେ ଅପରାହ୍ନରେ ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେମାନେ ଅତିରିକ୍ତ ଏସ୍‌ପି କୈଳାସ ଚନ୍ଦ୍ର ପରିଡ଼ାଙ୍କୁ ଭେଟି ତୁରନ୍ତ ଏହି ଘଟଣାରେ ମାମଲା ରୁଜୁ କରି ତଦନ୍ତ କରାଯାଉ ବୋଲି ଦାବି କରିଥିଲେ। ଅତିରିକ୍ତ ଏସ୍‌ପି ଏ ନେଇ ବନ୍ତ ଥାନାରେ ମାମଲା (ନଂ.୧୬୫/୧୯) ରୁଜୁ ହୋଇଥିବା କହିବା ପରେ ସେମାନେ ଫେରିଥିଲେ। ପ୍ରକାଶଥାଉ କି, ବିଧିବଦ୍ଧ ଭାବେ ନୋଟିସ କରା ନ ଯାଇ ବନ୍ତ ବଜାରରେ ଜବରଦଖଲ ଉଚ୍ଛେଦ କରାଯିବାକୁ ସ୍ଥାନୀୟ ବ୍ୟବସାୟୀ ଓ ଘର ମାଲିକମାନେ ବିରୋଧ କରିଛନ୍ତି। ପ୍ରଶାସନର ମନୋମୁଖୀ କାର୍ଯ୍ୟ ବିରୋଧରେ ବ୍ୟବସାୟୀମାନେ ପୃଥକ୍‌ ଭାବେ ଥାନାରେ ୧୦ଟି ଅଭିଯୋଗ କରିଥିବାବେଳେ ମାମଲା ରୁଜୁ ହୋଇ ନ ଥିବା ସେମାନେ କହିଛନ୍ତି।

Share