ଜବରଦଖଲ ଉଚ୍ଛେଦ କଲେ ଯୁବଗୋଷ୍ଠୀ

ରୂପ୍‌ସା, ୧।୧୧(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକର ଶ୍ରୀରାମପୁର ପଞ୍ଚାୟତ ଅନ୍ତର୍ଗତ ହଳଦୀପାଳ ବଜାରରେ ଶୁକ୍ରବାର ସ୍ଥାନୀୟ ସ୍ବଚ୍ଛ ସବୁଜ ଯୁବଗୋଷ୍ଠୀ ତରଫରୁ ଜବରଦଖଲ ଉଚ୍ଛେଦ କରାଯାଇଛି। ଦୀର୍ଘଦିନ ଧରି ଏହି ବଜାର ରାସ୍ତା ପାର୍ଶ୍ୱରେ ମାଛ ଦୋକାନୀମାନେ ଅସ୍ଥାୟୀ ଘର ନିର୍ମାଣ କରି ବ୍ୟବସାୟ ଚଳାଇ ଆସୁଥିଲେ। ଫଳରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ରାସ୍ତା ସଂକୀର୍ଣ୍ଣ ହେବା ଯୋଗୁ ଦୈନନ୍ଦିନ ଛୋଟବଡ଼ ଦୁର୍ଘଟଣା ଘଟୁଥିଲା। ବାରମ୍ବାର ରାସ୍ତା ପାର୍ଶ୍ୱରୁ ମାଛ ଦୋକାନ ହଟାଇବାକୁ ଜନସାଧାରଣ ଦାବି କରିଆସୁଥିଲେ ହେଁ ଏଥିପ୍ରତି ଦୋକାନୀ କର୍ଣ୍ଣପାତ କରୁ ନ ଥିଲେ। ଅପରପକ୍ଷରେ ପ୍ରଶାସନ ପକ୍ଷରୁ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରା ନ ଯିବାରୁ ଅସନ୍ତୋଷ ଦେଖାଦେଇଥିଲା। ଯୁବଗୋଷ୍ଠୀ ସଭାପତି ରାଜେଶ କୁମାର ସେଠୀ, କର୍ମକର୍ତ୍ତା ସୁରେଶ କୁମାର ଜେନା, ହିମାଂଶୁ ଜେନା ଓ ଗଗନ ଜେନାଙ୍କ ସମେତ ଶାନ୍ତିଲତା ମହାବିଦ୍ୟାଳୟର ସ୍ବେଚ୍ଛାସେବୀ ମିଳିତ ଭାବେ ମାଛ ମାର୍କେଟ୍‌ରେ ଟାୟାର ଜାଳି ପ୍ରତିବାଦ କରିଥିଲେ। ସରକାରୀ ଜାଗା ତଥା ମୁଖ୍ୟରାସ୍ତା ପାର୍ଶ୍ୱରେ ଥିବା ଅସ୍ଥାୟୀ ଦୋକାନ ଘରସବୁକୁ ଭାଙ୍ଗି ଜବରଦଖଲ ଉଚ୍ଛେଦ କରିଥିଲେ। ଭବିଷ୍ୟତରେ ଏଠାରେ କେହି ଜବରଦଖଲ କଲେ ଆନ୍ଦୋଳନ ଜୋରଦାର୍‌ ହେବ ବୋଲି ଚେତାବନୀ ଦିଆଯାଇଛି।