ଜବରଦଖଲ ଉଚ୍ଛେଦ ବେଳେ ଅଧିକାରୀ, ପୋଲିସକୁ ମାଡ଼; ୩ ଗିରଫ

ପଦ୍ମପୁର, ୧୪ା୨(ଡି.ଏନ୍‌.ଏ.)- ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଲକ୍ଷ୍ମୀଦାସପୁର ପଞ୍ଚାୟତର ବନ୍ଧସାହି ଠାରେ ସରକାରୀ ଜମି ଜବରଦଖଲ ଉଚ୍ଛେଦ ବେଳେ ଅତିରିକ୍ତ ତହସିଲଦାର ଓ ପୋଲିସକୁ ଦୁର୍ବ୍ୟବହାର ସହ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି।
ଏହି ଘଟଣାରେ ୩ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।
ଘଟଣାରୁ ପ୍ରକାଶ ଯେ, ଉକ୍ତ ଗ୍ରାମର ହରେକୃଷ୍ଣ ବାରିକ ସରକାରୀ ଜମି ଖାତା ୨୭୨ ଖସଡ଼ା ୬୫୭କୁ ଜବରଦଖଲ କରିଥିଲେ। ଫଳରେ ଗ୍ରାମକୁ ଦୀର୍ଘଦିନ ହେଲା ରାସ୍ତାନିର୍ମାଣ ହୋଇପାରିନଥିବା ବେଳେ ଗ୍ରାମବାସୀ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏହି ଘଟଣାରେ ବାସୁଦେବପୁର ତହସିଲରେ ଜବରଦଖଲ ମାମଲା(ନଂ ୧୧୮/୧୯) ରୁଜୁ ହୋଇଥିଲା। ବୁଧବାର ଅତିରିକ୍ତ ତହସିଲଦାର ରାଧାକାନ୍ତ ବାରିକ, ନାୟକାଣିଡିହୀ ଥାନାଧିକାରୀ ଉମାଶଙ୍କର ନାୟକ, ଏଏସ୍‌ଆଇ ଦୀଲ୍ଲିପ କୁମାର ଦେହୁରୀ ଜବରଦଖଲ ଉଚ୍ଛେଦ ଲାଗି ଜେସିବି ନେଇ ଉକ୍ତ ଗ୍ରାମରେ ପହଞ୍ଚତ୍ଥିଲେ। ଏହି ସମୟରେ ଜବରଦଖଲକାରୀଙ୍କ ପରିବାର ଜେସିବି ସାମ୍ନାରେ ବସି ରହି ଉଚ୍ଛେଦ ପ୍ରକ୍ର୍ରିୟାକୁ ବିରୋଧ କରିଥିଲେ। ପୋଲିସ ସେମାନଙ୍କୁ ସେଠାରୁ ଉଠାଇବା ଲାଗି ଚେଷ୍ଟା କରିବାରୁ ସେମାନେ ଅଧିକାରୀ ଓ ପୋଲିସ କର୍ମଚାରୀଙ୍କୁ ଠେଙ୍ଗାରେ ପିଟିବା ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ଉତ୍ତେଜନା ବଢ଼ିବା ଖବର ପାଇ ତହସିଲଦାର ସୌମ୍ୟଶ୍ରୀ ପାଣିଗ୍ରାହୀ ଘଟଣା ସ୍ଥଳରେ ପହଞ୍ଚତ୍ଥିଲେ। ପୋଲିସ ଜବରଦଖଲକାରୀଙ୍କୁ ସେ ସ୍ଥାନରୁ ହଟାଇବା ସହ ୩ ଜଣଙ୍କୁ ଗିରଫ କରିଥିଲା। ସେମାନେ ହେଲେ ହରେକୃଷ୍ଣ ବାରିକ, ରବିମଣି ବାରିକ ଓ ରଜନୀ ବାରିକ। ଏହି ଘଟଣାକୁ ନେଇ ଅତିରିକ୍ତ ତହସିଲଦାର ପୋଲିସ ନିକଟରେ ଅଭିଯୋଗ କରିଥିଲେ। ଗ୍ରାମର ୫ ଜଣଙ୍କ ନାମରେ ପୋଲିସ ମାମଲା(ନଂ ୧୧/୨୦) ରୁଜୁ କରିଛି। ଗୁରୁବାର ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ କହିଛନ୍ତି।