ଜବରଦଖଲ ଉଚ୍ଛେଦ ବେଳେ ଛାତ ଭୁଶୁଡ଼ିବା ଘଟଣା: ଜଣେ ମୃତ, ୩ ଗୁରୁତରଙ୍କ ଚିକିତ୍ସା ଜାରି

ବଅଁରପାଳ,୨୭।୧୨(ଡି.ଏନ୍‌.ଏ.): ଅନୁଗୋଳ ଜିଲା ବଅଁରପାଳ ଥାନା ନୂଆହତା ବାଲିସାହି ନିକଟରେ ଜାତୀୟ ରାଜପଥ କଡ଼ରୁ ଉଚ୍ଛେଦ କାର୍ଯ୍ୟ ଚାଲିଥିବା ସମୟରେ ଏକ ଘରର ଛାତ ଭୁଶୁଡ଼ି ପଡ଼ିଥିଲା। ଏହି ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ଜଣ ଗୁରୁତର ହୋଇଛନ୍ତି। ମୃତକ ହେଲେ କୁରୁଡ଼ୁଲ ଗ୍ରାମର ଚିକୁ ସାହୁ। ସେହିଭଳି ଗୁରୁତର ଥିବା ବଡ଼କେରାର ଅଜିତ ସାହୁ, ଜୟନ୍ତ ସାହୁ ଏବଂ ଘର ମାଲିକ ଧନେଶ୍ୱର ମୁଦୁଲିଙ୍କ ଚିକିତ୍ସା ଜାରି ରହିଛି।

ସୂଚନାଯୋଗ୍ୟ ପ୍ରଶାସନ ପକ୍ଷରୁ ୫୫ନଂ. ଜାତୀୟ ରାଜପଥ ପ୍ରଶସ୍ତୀକରଣ ନିମନ୍ତେ ଜବରଦଖଲ ଉଚ୍ଛେଦ କାର୍ଯ୍ୟ ଚାଲୁ ରହିଥିବା ବେଳେ ଏକ ଘରର ଛାତ ଭୁଶୁଡ଼ି ପଡ଼ିବାରୁ ୪ଜଣ ଗୁରୁତର ହୋଇଥିଲେ। ସେମାନଙ୍କୁ ଉଦ୍ଧାର କରାଯାଇ ଅନୁଗୋଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକୁଙ୍କ ମୃତ୍ୟୁ ଘଟିଛି। ଅପରପକ୍ଷେ ଦୁର୍ଘଟଣା କିଭଳି ଘଟିଲା ସେନେଇ ବଅଁରପାଳ ପୋଲିସ ତଦନ୍ତ ଜାରି ରଖିଛି।

Share