ଜବରଦଖଲ ହଟୁନି, ରାସ୍ତାକାମ ଆଗଉନି: ବଡମାଣପୁର ଗ୍ରାମବାସୀଙ୍କ ଆନ୍ଦୋଳନ ଚେତାବନୀ

ଦେବଗଡ଼, ୪ା୬(ସ୍ବ.ପ୍ର): ଦେବଗଡ଼ ଜିଲା ବାରକୋଟ ବ୍ଲକ୍‌ ଅଧିନ ବଡମାଣପୁର ଗ୍ରାମରେ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ନିର୍ମାଣାଧୀନ ରାସ୍ତା କାମ ଆଗେଇ ପାରୁନାହିଁ। ଜବରଦଖଲ ସମସ୍ୟା ଯୋଗୁ ଏପରି ଅବସ୍ଥା ହୋଇଛି। ଜବରଦଖଲ ହଠାଇବା ଦାବିରେ ମଙ୍ଗଳବାର ପୂଣି ଥରେ ଗ୍ରାମବାସୀ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଅବିଳମ୍ବେ ଜବରଦଖଲ ସମସ୍ୟାର ସମାଧାନ ନ ହେଲେ ଗ୍ରାମବାସୀ ଆନ୍ଦୋଳନାତ୍ମକପନ୍ଥା ଆପଣାଇବେ ବୋଲି ଚେତାବନୀ ଦେଇଛନ୍ତି। ସୂଚନା ମୁତାବକ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ଏବେ ବାରକୋଟ ବ୍ଲକ ମଧ୍ୟପୁର ପଞ୍ଚାୟତ ଗୟଳମରା ଗ୍ରାମସ୍ଥିତ ଆର୍‌ଡି ରୋଡ୍‌ରୁ ବଡମାଣପୁର ଦେଇ ଏକ ପ୍ରଶସ୍ତ ରାସ୍ତା ନିର୍ମାଣ ଚାଲିଛି ା ତେବେ ବଡମାଣପୁର ଗଁା ମଝିରେ ଯାଇଥିବା ଉକ୍ତ ସରକାରୀ ରାସ୍ତାରେ ଗ୍ରାମର ୩ଜଣ ବ୍ୟକ୍ତି ଜବରଦଖଲ କରି ପାଚେରି ନିର୍ମାଣ କରିଛନ୍ତି। ସମୂହ ସ୍ବାର୍ଥ ଦୃଷ୍ଟିରୁ ଗ୍ରାମବାସୀ ସରକାରୀ ଜାଗା ଛାଡି ଦେବାକୁ ବୁଝାସୁଝା କରିଥିଲେ ହେଁ ସେମାନେ ରାଜି ହେଉନାହାନ୍ତି। ଏ ନେଇ ଗତ ମେ ୨୬ତାରିଖରେ ଗ୍ରାମବାସୀ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ ା ଜିଲାପାଳଙ୍କ ଅନୁପସ୍ଥିତିରେ ଏଡିଏମ ଧରମ୍‌ ହଁାସଦାଙ୍କ ଦୃଷ୍ଟି ଆକର୍ଷଣ କରି ତୁରନ୍ତ ପଦକ୍ଷେପ ନେବାକୁ ନିବେଦନ କରିଥିଲେ ା ତିନିଦିନ ମଧ୍ୟରେ ସମସ୍ୟାର ସମାଧାନ କରାଯିବାକୁ ପ୍ରଶାସନିକ ପ୍ରତିଶ୍ରୁତି ମିଳିଥିଲା। ହେଲେ ଇତିମଧ୍ୟରେ ୯ଦିନ ବିତିଯାଇଥିଲେ ସୁଦ୍ଧା କୌଣସି ପଦକ୍ଷେପ ନିଆ ନ ଯିବାରୁ ମଙ୍ଗଳବାର ଜିଲାପାଳ ସୁଧାଂଶୁ ମୋହନ ସାମଲଙ୍କୁ ଫେରାଦ ହୋଇଥିଲେ ଗ୍ରାମବାସୀ।