ଜବରଦଖଲ ହାଟ ଜମି ମାପଚୁପ ଆରମ୍ଭ

ଫୁଲବାଣୀ ଅଫିସ, ୨୪ା୧-ଫୁଲବାଣୀ ହାଟପଦାସ୍ଥିତ ହାଟ ଜମି ଜବରଦଖଲରେ ଥିଲା। ଜବରଦଖଲ ଉଚ୍ଛେଦ ପାଇଁ ବହୁଦିନରୁ ଦାବି ହୋଇ ଆସୁଥିବା ବେଳେ ହାଟ ଜମିର ମାପଚୁପ କାର୍ଯ୍ୟ ଗୁରୁବାର ଆରମ୍ଭ ହୋଇଛି ା ତେବେ ପ୍ରାୟ ୩୩ ଜଣ ବ୍ୟକ୍ତି ଏହି ସ୍ଥାନକୁ ନିଜ ଅକ୍ତିଆରରେ ରଖିଥିବା ଜଣାପଡ଼ିଛି। କେବେ ଏହା ଉଚ୍ଛେଦ ହେବ ତାହା ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ ା ସେପଟେ ତୁରନ୍ତ ଜବରଦଖଲ ଉଚ୍ଛେଦ କରିବାକୁ କୁଇ ସମାଜ ସମନ୍ବୟ ସମିତି ସାଧାରଣ ସମ୍ପାଦକ ଲମ୍ବୋଦର କହଁର ଦାବି କରିଛନ୍ତି।
ଫୁଲବାଣୀ ସହର ମଧ୍ୟରେ ରହିଛି ହାଟପଦା ଅଞ୍ଚଳ ା ଆଦିବାସୀ ତଥା ଚାଷୀଙ୍କ ଉପତ୍ାଦିତ ପନିପରିବା ବିକ୍ରି ପାଇଁ ଏହି ଅଞ୍ଚଳରେ ପ୍ରାୟ ୨ ଏକର ଜମିରେ ଏକ ହାଟ ହୋଇଥିଲା ା କ୍ରମେ ଏହାକୁ ଲୋକେ ଜବରଦଖଲ କରିବା ଆରମ୍ଭ କଲେ ା ଏହାକୁ ଉଚ୍ଛେଦ କରିବା ପାଇଁ ବହୁ ଦିନ ହେବ ଦାବି ହୋଇ ଆସୁଥିଲା ା ପୂର୍ବରୁ ହାଟପଦାର ଗୋଟିଏ ଅଂଶ ମାପଚୁପ ହୋଇଥିଲା ା ସେତବେଳେ ୦.୧୭୯ ଏକର ଜମିକୁ ୩୫ ଜଣ ଜବରଦଖଲ କରି ଘର ନିର୍ମାଣ କରିଥିଲେ। ଗୁରୁବାର ହାଟର ୧.୦୪ ଏକର ଜମି ମାପଚୁପ ହୋଇ ଚିହ୍ନଟ କରାଯାଇଛି ା ଅତିରିକ୍ତ ତହସିଲଦାର ବିରଞ୍ଚି କହଁର, ସୁପରଭାଇଜର ଆଶିଷ କୁମାର ନାୟକ, କୁଇ ସମାଜ ସମନ୍ବୟ ସମିତି ସାଧାରଣ ସମ୍ପାଦକ ଲମ୍ବୋଦର କହଁର, ପାଣ ସମାଜର ବକ ଦିଗାଲ ଏବଂ ସ୍ଥାନୀୟ ଲୋକଙ୍କ ଉପସ୍ଥିତିରେ ଏହି ମାପଚୁପ କରାଯାଇଥିଲା ା ଫୁଲବାଣୀ ରାଜସ୍ବ ନିରୀକ୍ଷକ ସୁବାଶିଷ ପ୍ରଧାନ, ତୁଡିପାଜୁ ରାଜସ୍ବ ନିରୀକ୍ଷକ ବିମଲ ବେବର୍ତ୍ତା, ଫିରିଙ୍ଗିଆ ଅମିନ କମଳାକାନ୍ତ ପ୍ରଧାନ ପ୍ରମୁଖ ନକ୍ସା ଧରି ମାପଚୁପ କରିଥିଲେ ା ନିୟମ ଅନୁସାରେ ଜବରଦଖଲକାରୀଙ୍କୁ ନୋଟିସ୍‌ ଦିଆଯିବ ା ଏହାପରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହେବ ବୋଲି ତହସିଲଦାର ଦୀନମଣି ନାୟକ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ଏହି ହାଟ ବହୁ ପୁରୁଣା ା ପ୍ରତିଦିନ ଏଠାରେ ହାଟ ବସିଥାଏ ା ବୁଧବାର ସପ୍ତାହିକ ହାଟ ପଡେ ା ଫୁଲବାଣୀ ସମେତ ଫିରିଙ୍ଗିଆ, ଖଜୁରିପଡା, ଟିକାବାଲି, ଚକାପାଦ ଏପରିକି ବୌଦ୍ଧ ଜିଲାରୁ ଚାଷୀ, ବ୍ୟବସାୟୀ ଏଠାକୁ ପନି ପରିବା ବିକ୍ରି କରିବାକୁ ଆସିଥାନ୍ତି। ପୂର୍ବରୁ ହାଟ ୨ ଏକର ପରିମିତ ସ୍ଥାନରେ ଥିଲା ା ବନ୍ଦୋବସ୍ତ ସମୟରେ ଏହାର ପରିସୀମା ୧.୨୫ ଏକର ହୋଇଥିଲା ା ଏବେ ମାତ୍ର ୦.୫ ଏକର ସ୍ଥାନ ହାଟର ରହିଛି ା ବହୁ ଜବରଦଖଲକାରୀ ହାଟ ଜମିରେ ବଡ ବିଲଡିଂ ନିର୍ମାଣ କରିଛନ୍ତି।

Share