Categories: ବାଣିଜ୍ୟ

ଜମାକାରୀଙ୍କଠୁ ସୁନା ଜମା ରଖିପାରିବେ ବ୍ୟାଙ୍କ

ନୂଆଦିଲ୍ଲୀ,୧୮-୮: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଶୁକ୍ରବାର ସୁନା ମୁଦ୍ରୀକରଣ ଯୋଜନା,୨୦୧୫ର ନିୟମକୁ କୋହଳ କରିଛନ୍ତି। ନୂତନ ନିୟମ ଅନୁଯାୟୀ, ଜମାକାରୀ ନିଜର ଗଚ୍ଛିତ ସୁନାକୁ ବ୍ୟାଙ୍କ, ରିଫାଇନର କିମ୍ବା କଲେକ୍ସନ ଓ ପିଓରିଟି ଟେଷ୍ଟିଙ୍ଗ ସେଣ୍ଟର(ସିପିଟିସି)ରେ ଜମା କରିପାରିବେ। ପୂର୍ବରୁ ଏହି ଯୋଜନାରେ ସୁନା ଜମା ଲାଗି ଜମାକାରୀଙ୍କୁ ବ୍ୟୁରୋ ଅଫ୍‌ ଇଣ୍ଡିଆନ ଷ୍ଟାଣ୍ଡାର୍ଡ ଦ୍ୱାରା ଅନୁମୋଦିତ ସିପିଟିସିକୁ ଅନୁରୋଧ କରିବାକୁ ପଡୁଥିଲା। ଏହି ଯୋଜନା ଲାଗୁ ହେବା ପରେ ଗତ ୪ ବର୍ଷରେ ମାତ୍ର ୧୬ ଟନ ସୁନା ଜମା ପଡିଥିଲା। ସୁନା ଜମା ନେବାକୁ ବ୍ୟାଙ୍କଗୁଡ଼ିକ ଅମଙ୍ଗ ହେଉଥିବାରୁ ଏହି ଯୋଜନା ସେତେଟା ସଫଳତା ହାସଲ କରିପାରିନାହିଁ। ବ୍ୟାଙ୍କଗୁଡ଼ିକ ନିକଟରେ ହଲ୍‌ମାର୍କ ସେଣ୍ଟର ଅଭାବ କାରଣରୁ ସୁନା ଜମା ନେବାକୁ ସେମାନେ ରାଜି ହେଉ ନ ଥିଲେ। ଆର୍‌ବିଆଇର ନୂଆ ନିୟମ ଅନୁଯାୟୀ, ଉକ୍ତ ଯୋଜନାରେ ସମସ୍ତ ସୁନା ସିପିଟିସିରେ ଜମା ହେବ। ତେବେ ବ୍ୟାଙ୍କଗୁଡ଼ିକ ଚାହିଁଲେ ନିର୍ଦ୍ଦିଷ୍ଟ କେତେକ ଶାଖାରେ ବୃହତ ଜମାକାରୀଙ୍କ ଠାରୁ ସୁନା ଜମା ରଖିପାରିବେ। ଏହି ନୂଆ ନିୟମ ଦ୍ୱାରା ମଠ, ମନ୍ଦିର, ବଡ଼ ବଡ଼ ଧନୀ, ଫଣ୍ଡ ହାଉସ୍‌,ଟ୍ରଷ୍ଟ ଓ ସରକାର ବ୍ୟାଙ୍କକୁ ସିଧାସଳଖ ସୁନା ଜମା କରିପାରିବେ।

Share