ଜମାତ ସହ ସମ୍ପୃକ୍ତ ୪ ହଜାର ସଂକ୍ରମିତ

ନୂଆଦିଲ୍ଲୀ,୧୯।୪: ଭାରତରେ କୋଭିଡ୍‌-୧୯ ସଂକ୍ରମିତଙ୍କ ସଂଖ୍ୟା ୧୪,୩୭୮ରେ ପହଞ୍ଚତ୍ଥିବାବେଳେ ସେଥିରୁ ୪୨୯୧ମାମଲା ଦିଲ୍ଲୀର ନିଜାମୁଦ୍ଦିନ୍‌ରେ ଗତ ମାସରେ ଅନୁଷ୍ଠିତ ତବଲିଘି ଜମାତ ଧର୍ମସଭା ସହ ସମ୍ପୃକ୍ତ ବୋଲି ସରକାର ଘୋଷଣା କରିଛନ୍ତି। ଅର୍ଥାତ୍‌ ପ୍ରତି ୧୦ ମାମଲାରୁ ୩ଟିର ଜମାତ ସହ ସମ୍ପର୍କ ରହିଛି। ତେବେ ତବଲିଘି ଜମାତ କର୍ମୀମାନେ କେବଳ ଭାରତରେ କରୋନା ଭୂତାଣୁର ବାହକ ସାଜିନାହାନ୍ତି, ସେମାନେ ଦକ୍ଷିଣ ଓ ଦକ୍ଷିଣ-ପୂର୍ବ ଏସିଆ ଅନେକ ଦେଶରେ ମଧ୍ୟ ସୁପର ସ୍ପ୍ରେଡର ସାଜିଛନ୍ତି। ଅନ୍ୟ ଦେଶରେ ୩୦୦୦ରୁ ଊର୍ଦ୍ଧ୍ୱ ମାମଲାର ଜମାତ ସହ ସମ୍ପୃକ୍ତି ରହିଛି।
ପାକିସ୍ତାନରେ ୭୫୦୦ ଜଣ କରୋନା ସଂକ୍ରମିତ ହୋଇଥିବାବେଳେ ସେଥିରୁ ୫୦୦ରୁ ଊର୍ଦ୍ଧ୍ୱଙ୍କର ଜମାତ କର୍ମୀଙ୍କ ସହ ସମ୍ପର୍କ ରହିଛି। ସେଠାର ରାଇଓ୍ବିଣ୍ଡ ଇଜତେମା ଏବେ କରୋନା ହଟ୍‌ସ୍ପଟରେ ପରିଣତ ହୋଇଛି। ମାର୍ଚ୍ଚରେ ଜମାତ ପକ୍ଷରୁ ସେଠାରେ ଅନୁଷ୍ଠିତ ଉତ୍ସବରେ ପାଖାପାଖି ଲକ୍ଷେ ଲୋକ ଯୋଗଦେଇଥିଲେ। ମାଲେସିଆରେ ୩୫୦୦ କୋଭିଡ୍‌-୧୯ ମାମଲାରୁ ୧୫୪୫ଟିର ଜମାତ ଲିଙ୍କ୍‌ ରହିଛି। କୁଆଲାଲୁମ୍ପୁରର ଉପକଣ୍ଠରେ ଥିବା ମସ୍‌ଜିଦରେ ଫେବୃୟାରୀରେ ଅନୁଷ୍ଠିତ ବାର୍ଷିକ ଧର୍ମସଭାରେ ୧୫,୦୦୦ ଲୋକ ଯୋଗଦେଇଥିଲେ।

Share