ଜମା ଟଙ୍କା ମାଗିବାରୁ ମହିଳାଙ୍କୁ ଦୁର୍ବ୍ୟବହାର

ବନ୍ତ,୧୩।୧୧(ଡି.ଏନ.ଏ.): ଭଦ୍ରକ ଜିଲା ବନ୍ତ ଥାନା ଅଧୀନ ବସନ୍ତିଆ ସବ୍‌ପୋଷ୍ଟ ଅଫିସ କର୍ମଚାରୀ ତଥା ଆପଣ୍ଡା ଗ୍ରାମର ଜଣେ ବ୍ୟକ୍ତିଙ୍କୁ କେନ୍ଦୁଝର ଜିଲା ନନ୍ଦିପଦା ଥାନା ଅଞ୍ଚଳର କେତେଜଣ ମହିଳା ନିଜର ଜମା ଟଙ୍କା ମାଗିବାରୁ ସେମାନଙ୍କୁ ଦୁର୍ବ୍ୟବହାର କରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଏ ନେଇ ବନ୍ତ ଥାନାରେ ଏକ ମାମଲା(ନଂ.୧୪୧/୧୯) ରୁଜୁକରି ପୋଲିସ ତଦନ୍ତ ଚଳାଇଛି। ଅଭିଯୋଗ ଅନୁଯାୟୀ, ସମ୍ପୃକ୍ତ କର୍ମଚାରୀ ଡାକ ବିଭାଗରେ କାର୍ଯ୍ୟ କରୁଥିବା ବେଳେ ୨୦୧୧ରେ ସେହି ମହିଳାମାନେ ପୋଷ୍ଟ ଅଫିସରେ ଆର୍‌ଡି ଏବଂ ଫିକ୍ସଡ୍‌ ଡିପୋଜିଟ୍‌ କରିବା ପାଇଁ ଚାହିଁଥିଲେ। ସମ୍ପୃକ୍ତ କର୍ମଚାରୀ ସେମାନଙ୍କୁ ନାନାଦି ପ୍ରଲୋଭନ ଦେଖାଇ ଅନ୍ୟ ଏକ ଘରୋଇ କମ୍ପାନୀରେ ଡିପୋଜିଟ୍‌ କରାଇଥିଲେ। ଉକ୍ତ ପଲିସଗୁଡ଼ିକର ମାଚ୍ୟୁରିଟି ହେବା ପରେ ମହିଳାମାନେ ଟଙ୍କା ମାଗିବାରୁ ସେ ବାରମ୍ବାର ସେମାନଙ୍କୁ ଫେରାଇ ଦେଇଥିଲେ। ଗତ ୮ ତାରିଖରେ ମହିଳାମାନେ ଡାକ କର୍ମଚାରୀଙ୍କ ଘରକୁ ଯାଇ ଟଙ୍କା ମାଗିବାରୁ ସେ ଏବଂ ତାଙ୍କ ପୁଅମାନେ ଦୁର୍ବ୍ୟବହାର କରିଥିବା ଦର୍ଶାଯାଇଛି।