ଜମିକୁ ମାଡୁନି କେନାଲ ପାଣି, ଜିଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ

ଦିଗପହଣ୍ଡି,୨୧ା୮(ଡି.ଏନ.ଏ.)- ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ କୟାଁନାଳ କ୍ଷୁଦ୍ର ଜଳସେଚନ ଯୋଜନା କେନାଲ ନିର୍ମାଣର ୧୮ ବର୍ଷ ବିତିଲା। ଚାଷୀ ନିୟମିତ ଜଳକର ପୈଠ କରୁଛନ୍ତି। କିନ୍ତୁ ଚାଷ ଜମିକୁ କେନାଲ ପାଣି ମାଡୁନି। କେନାଲ ଯୋଗେ ଚାଷୀଙ୍କ ଜମିକୁ ପାଣି ଯୋଗାଇ ଦେବା ପାଇଁ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ସାକ୍ଷାତ କରି ବି.ତୁରୁବୁଡ଼ି, ଲକ୍ଷ୍ମୀନାରାୟଣପୁର, ଝରିପଦର, ଦଶିପୁର, କାଣ୍ଡେଶ୍ୱର, ସାନଡୁମ୍ବୁଳା ଗ୍ରାମର ଚାଷୀବୃନ୍ଦ ଦସ୍ତଖତ ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରିଛନ୍ତି। କାଣ୍ଡେଶ୍ୱର ପ୍ରାଥମିକ ସେବା ସମବାୟ ସମିତି ସଭାପତି କେ. ସଞ୍ଜୀବ କୁମାର ରେଡ୍ଡୀଙ୍କ ନେତୃତ୍ୱରେ ଏସ୍‌. ସୋମନାଥ ରେଡ୍ଡୀ, ଇ. ବିପ୍ରଚରଣ ଦୋରା, ଏସ୍‌. ସଲୀଲ ରେଡ୍ଡୀ, କେ. ତ୍ରିନାଥ ରେଡ୍ଡୀ, କେ. ଭାସ୍କର ରେଡ୍ଡୀ ପ୍ରମୁଖ ବି.ତୁରୁବୁଡ଼ି ଗ୍ରାମରେ ଆୟୋଜିତ ଜିଲାସ୍ତରୀୟ ମୋ ଗେହ୍ଲାଝିଅ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିବା ଗଞ୍ଜାମ ଜିଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ। ସେହିପରି ଘୋଡ଼ାହାଡ଼ ଜଳସେଚନ ଯୋଜନା ଅଧୀନ ଭୀମପୁର ୨୧ନଂ. କେନାଲକୁ ସମ୍ପ୍ରସାରଣ କରାଯାଇ ନରସିଂହପୁର ରାଜଘାଇକୁ ସଂଯୋଗ କରାଯାଇଛି। ଉକ୍ତ କେନାଲକୁ ଲକ୍ଷ୍ମୀନାରାୟଣପୁରରୁ ଦଶିପୁର ପାତ୍ରବନ୍ଧ ଓ କାଣ୍ଡେଶ୍ୱର ଗ୍ରାମ ଜାଗିଲି ବନ୍ଧ ସହ ସଂଯୋଗ କରି ସାନଡୁମ୍ବୁଳା ଗ୍ରାମ ବାସନାବନ୍ଧ ଯାଏ କେନାଲ ସଂଯୋଗୀକରଣ କରାଗଲେ ସମସ୍ତ ଗ୍ରାମର ଚାଷଜମି ଗୁଡ଼ିକୁ ପାଣି ଯୋଗାଇ ଦିଆଯାଇପାରିବ ବୋଲି ସ୍ମାରକପତ୍ରରେ ଉଲ୍ଲେଖ ରହିଛି। ଜିଲାପାଳ ଏନେଇ ଜଳସମ୍ପଦ ବିଭାଗ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ଶୀଘ୍ର ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ବି.ତୁରୁବୁଡ଼ି ପଞ୍ଚାୟତ ହାଇସ୍କୁଲ ୧୯୯୭ରେ ପ୍ରତିଷ୍ଠା କରାଯାଇଛି । ଉକ୍ତ ହାଇସ୍କୁଲରେ ଶୌଚାଳୟ, ନଳକୂପ ଆଦି ନ ଥିବ ନେଇ ସ୍କୁଲ ପରିଚାଳନା କମିଟି ପକ୍ଷରୁ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ସମସ୍ୟାର ସାମଧାନ ପାଇଁ ସେ ଉପସ୍ଥିତ ବିଡିଓ ହଳଧର ଶବରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।