ଜମିଜମା ଗଣ୍ଡଗୋଳ, ୩ ଗିରଫ

ବୁଗୁଡ଼ା,୩ା୧୦(ଡି.ଏନ.ଏ.)- ବୁଗୁଡ଼ା ଥାନା କୁଆନଳାରେ ହୋଇଥିବା ଜମିଜମାକୁ ନେଇ ଗଣ୍ଡଗୋଳ ମାମଲାରେ ବୁଗୁଡ଼ା ପୋଲିସ ଗୁରୁବାର ଗୋଟିଏ ପରିବାରର ୩ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେମାନେ ହେଲେ କୁଆନଳା ଗ୍ରାମର ସନ୍ୟାସୀ ଗୌଡ଼, ସ୍ତ୍ରୀ ବାସନ୍ତୀ ଗୌଡ଼ ଓ ପୁଅ ରଞ୍ଜନ ଗୌଡ଼। ଏନେଇ ବୁଗୁଡ଼ା ଥାନାରେ ନଂ.୨୧୧/୧୯ରେ ଏକ ମାମଲା ରୁଜୁ ହୋଇଥିଲା। ପ୍ରକାଶ ଯେ କୁଆନଳା ଗ୍ରାମର ସୁଦେଷ୍ଣା ଦଳେଇ ନାମକ ଜଣେ ମହିଳା ଏକ ଜମିକୁ ଅକ୍ତିଆର କରି ରଖିଥିଲେ। ପରେ ସନ୍ୟାସୀ ଗୌଡ଼ ସେହି ଜମିକୁ କ୍ରୟ କରିଛନ୍ତି ବୋଲି କହି ଜମି ଛାଡ଼ିବାକୁ ମଙ୍ଗଳବାର କହିଥିଲେ। ଏନେଇ ଉଭୟଙ୍କ ମଧ୍ୟରେ କଥା କଟାକଟି ସହ ଗାଳିଗୁଲଜ ହୋଇଥିଲା। ଶେଷରେ ସନ୍ୟାସୀଙ୍କ ପରିବାର ଲୋକେ ମିଶି ସୁଦେଷ୍ଣାଙ୍କୁ ମାରପିଟ କରିଥିଲେ। ଏନେଇ ସୁଦେଷ୍ଣା ଥାନାରେ ଅଭିଯୋଗ କରିଥିଲେ।