ଜମିଜମା ବିବାଦ, ମହିଳାଙ୍କୁ ଆକ୍ରମଣ ଅଭିଯୋଗ

ବରୀ,୧ା୧୨(ସ୍ବ.ପ୍ର.)- ବରୀଥାନା ଅଧୀନ କିମ୍ଭୀରିଆପାଳ ପଞ୍ଚାୟତ ମାଳଦା ଗ୍ରାମରେ ରବିବାର ଜିମିଜମା ବିବାଦକୁ ନେଇ ଜଣେ ମହିଳା ଓ ତାଙ୍କ ଝିଅଙ୍କୁ ଆକ୍ରମଣ ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା (ନଂ.୨୭୦/୧୯) ରୁଜୁକରି ଉଭୟ ପକ୍ଷକଙ୍କୁ ଥାନାକୁ ଡାକାଇ ତଦନ୍ତ ଚଳାଇଛି। ଏଥିସହ ଚିକିତ୍ସା ପାଇଁ ଅଭିଯୋଗକାରୀ ଏବଂ ତାଙ୍କ ଝିଅଙ୍କୁ ସ୍ଥାନୀୟ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଛି।
ପ୍ରକାଶ ଯେ, ଦୀର୍ଘଦିନ ଧରି ଗ୍ରାମର ରେଣୁବାଳା ରାଉତ ଓ ସିନ୍ଧୁ ସାହୁଙ୍କ ପରବାର ମଧ୍ୟରେ ଜମିଜମା ବିବାଦ ଲାଗି ରହିଛି। ରବିବାର ଉଭୟ ପରିବାର ମଧ୍ୟରେ କୌଣସି କାରଣକୁ ନେଇ ବଚସା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ରେଣୁବାଳାଙ୍କୁ ସିନ୍ଧୁ ଓ ତାଙ୍କ ପୁଅ ଶିବ ମିଶି ଦୁର୍ବ୍ୟବହାର କରିବା ସହ ମାଡ଼ ମାରିଥିଲେ। ଏହି ସମୟରେ ରେଣୁବାଳାଙ୍କ ଝିଅ ବିରୋଧ କରିବାରୁ ଶିବ ତାଙ୍କୁ ମଧ୍ୟ ମାଡ଼ମାରିଥିବା ରେଣୁବାଳା ଅଭିଯୋଗରେ ଦର୍ଶାଇଛନ୍ତି।