ଜମିପଟ୍ଟା ପାଇଁ ଜିଲାପାଳଙ୍କୁ ଗୁହାରି କଲେ: ଆମରଣ ଅନଶନ ସ୍ଥଗିତ କଲେ

ନୂଆପଡା ଅଫିସ,୧୭ା୯
ନୂଆପଡ଼ା ଜିଲା ଖଡିଆଳ ଏନଏସି ଅନ୍ତର୍ଗତ ବିଭିନ୍ନ ୱାର୍ଡରେ ପୁରୁଷାନୁକ୍ରମେ ଶତାଧିକ ପରିବାର ଲୋକ ଘର କରି ରହୁଥିବାବେଳେ ସେମାନଙ୍କ ନିକଟରେ ସରକାରୀ ଜମିପଟା ନାହିଁ ା ସେଥିପାଇଁ ସୋମବାର ନୂଆପଡା ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଗୁହାରୀ ଜଣାଇଛନ୍ତି । ଏହା ଉପରେ ଅତିରିକ୍ତ ଜିଲାପାଳ ଆଲୋଚନା କରିବା ସହ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ପ୍ରତିଶ୍ରୁତିଦେବା ପରେ ସେମାନେ ଫେରିଯାଇଛନ୍ତି । ଆଗକୁ ଆମରଣ ଅନଶନ କରିବେ ବୋଲି ସିଦ୍ଧାନ୍ତ ନେଇଥିବାବେଳେ ଏହାକୁ ସ୍ଥଗିତ କରିଛନ୍ତି ।
ମହିଳା ନେତ୍ରୀ ମମତା ମଞ୍ଜରୀ ଥପା ଏବଂ ଦଳିତ ଅଧିକାର ମଞ୍ଚର ସଭାପତି କମଳ ଚରଣ ତାଣ୍ଡିଙ୍କ ନେତୃତ୍ୱରେ ହିତାଧିକାରୀମାନେ ନୂଆପଡା ଆସିଥିଲେ । ଏଠାରେ ଜିଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲାପାଳ ସୀତାରାମ ପଟେଲଙ୍କୁ ଭେଟି ଦାବି ଜଣାଇଥିଲେ। ଏଥିରେ ଏହି ଅଧିବାସୀମାନେ ଜମି ପଟ୍ଟା ଟିକକ ନ ଥିବାରୁ ବିଭିନ୍ନ ସମୟରେ ସରକାରୀ ସୁବିଧା ସୁଯୋଗରୁ ବଞ୍ଚତ୍ତ ରହୁଛନ୍ତି । ଏପଟେ ସରକାର ସେମାନଙ୍କୁ ବାସଚ୍ୟୁତ କରିବାର ଯୋଜନା ମଧ୍ୟ କରୁଛନ୍ତି । ଅନ୍ୟପକ୍ଷେ ଏମାନଙ୍କୁ ଜମିପଟା ପ୍ରଦାନ କରିବାକୁ ଦାବି ହୋଇଆସୁଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହେଉ ନ ଥିବାରୁ ଆନ୍ଦୋଳନ ଦାନା ବାନ୍ଧୁଛି । ଏହା ଉପରେ କାର୍ଯ୍ୟାନୁଷ୍ଠାନ ନ କଲେ ଆଗକୁ ଆମରଣ ଅନଶନ କରିବେ ବୋଲି ହିତାଧିକାରୀମାନେ ଚେତାବନୀ ଦେବା ପରେ ଅତିରିକ୍ତ ଜିଲାପାଳ ସେମାନଙ୍କୁ ଡକାଇଥିଲେ । ଆଗକୁ ଖୁବ ଶୀଘ୍ର ଏହା ଉପରେ ପଦକ୍ଷେପ ଆରମ୍ଭ ହେବ । ପ୍ରଥମ ପର୍ଯ୍ୟାୟରେ ୫୦ଜଣଙ୍କୁ ପଟ୍ଟା ପ୍ରଦାନ କରାଯିବ। ପର୍ଯ୍ୟାୟକ୍ରମେ ସମସ୍ତଙ୍କୁ ସାମିଲ କରାଯିବ ବୋଲି ପ୍ରତିଶ୍ରୁତି ଦେବା ସହ ଆନ୍ଦୋଳନରୁ ଓହରିଯିବାକୁ ଅନୁରୋଧ କରିଥିଲେ । ଏହା ଉପରେ ତୁରନ୍ତ ଫୋନ ଯୋଗେ ଖଡିଆଳ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସୁରେଶ କୁମାର ସାହୁଙ୍କୁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ଅତିରିକକ୍ତ ଜିଲାପାଳଙ୍କ ନିର୍ଭର ପ୍ରତିଶ୍ରୁତି ପରେ ଆନ୍ଦୋଳନକୁ ସ୍ଥଗିତ କରାଯାଇଥିବା ସଭାପତି ତାଣ୍ଡି କହିଛନ୍ତି ।

ଫଟୋ

Share