ଜମିପଟ୍ଟା ପାଇଁ ଶତାଧିକ ଲୋକ ଜିଲାପାଳଙ୍କ ଦ୍ୱାରସ୍ଥ

ଭଦ୍ରକ ଅଫିସ,୨।୧୨- ସ୍ଥାୟୀ ଜମିପଟ୍ଟା, ବିଦ୍ୟୁତ୍‌ ସଂଯୋଗ ଓ ଗମନାଗମନ ପରି ବିଭିନ୍ନ ମୌଳିକ ସମସ୍ୟାର ସମାଧାନ ପାଇଁ ସୋମବାର ଶତାଧିକ ଭୂମିହୀନ ଲୋକ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏ ନେଇ ସେମାନେ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଭାରପ୍ରାପ୍ତ ଜିଲାପାଳ ଶ୍ୟାମଭକ୍ତ ମିଶ୍ରଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ସେମାନେ ସ୍ମାରକପତ୍ରରେ ଦର୍ଶାଇଛନ୍ତି, ଭଦ୍ରକ ପୌରପାଳିକା ଅଧୀନ ୧୦ ନମ୍ବର ୱାର୍ଡ ଜଗନ୍ନାଥପୁର ଗ୍ରାମର ସାଳନ୍ଦୀ ନଦୀବନ୍ଧ କୂଳରେ ୪୦ରୁ ଊର୍ଦ୍ଧ୍ୱ ଆଦିବାସୀ ପରିବାର ୩ ପୁରୁଷ ଧରି ରହିଆସୁଛନ୍ତି। ଦୀର୍ଘବର୍ଷ ଧରି ଏ ସମସ୍ତ ପରିବାର ଲୋକ ଏହି ସ୍ଥାନରେ ବସବାସ କରୁଥିଲେ ମଧ୍ୟ ସେମାନଙ୍କୁ ଜମିପଟ୍ଟା ପ୍ରଦାନ କରାଯାଇ ନାହିଁ। ଫଳରେ ସେମାନଙ୍କ ପିଲାମାନେ ସରକାରଙ୍କ ଷ୍ଟାଇପେଣ୍ଡ ଯୋଜନା ଓ ଅନ୍ୟାନ୍ୟ ଯୋଜନାରୁ ବଞ୍ଚିତ ହେଉଛନ୍ତି। ଅପରପକ୍ଷେ ସେମାନଙ୍କୁ ମାଗଣା ବିଦ୍ୟୁତ୍‌ ସେବା ଓ ଅନ୍ୟ ଯୋଜନାରେ ସାମିଲ କରାଯାଇ ନାହିଁ। ସହରାଞ୍ଚଳରେ ଥିବା ଭୂମିହୀନମାନଙ୍କୁ ତୁରନ୍ତ ପଟ୍ଟା ଯୋଗାଇ ଦିଆଯାଉ ବୋଲି ସେମାନେ ଦାବି କରିଛନ୍ତି।

Share