ଜମିବାଡ଼ିକୁ କେନ୍ଦ୍ରକରି ଗଣ୍ଡଗୋଳ ଘଟଣା : ୪ କୋର୍ଟ ଚାଲାଣ

ଦାରିଙ୍ଗବାଡ଼ି,୧୯।୩(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଜମିବାଡ଼ିକୁ କେନ୍ଦ୍ରକରି ପ୍ରଥମେ ଗଣ୍ଡଗୋଳ ପରେ ମରଣାନ୍ତକ ଆକ୍ରମଣ ସହ ଜାତିଆଣ ଆକ୍ଷେପକୁ ନେଇ ଥାନାରେ ଅଭିଯୋଗ ହୋଇଥିଲା। ଏନେଇ ପୋଲିସ କେସ୍‌ ନଂ. ୭୬/୧୯ରେ ଏକ ମାମଲା ରୁଜୁ କରି ଘଟଣାର ସତ୍ୟାସତ୍ୟ ଉପରେ ତଦନ୍ତ କରୁଥିଲା। ଘଟଣାର ୮ ମାସ ବିତିବା ପରେ ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଜଣାପଡ଼ିଛି। ଏଥିରେ ସଂପୃକ୍ତି ଥିବା ୪ ଜଣଙ୍କୁ ବୁଧବାର ସନ୍ଧ୍ୟାରେ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ଦାରିଙ୍ଗବାଡ଼ିର ୪ ଜଣ ବ୍ୟବସାୟୀ ଅଜିତ କୁମାର ସାହୁ, ଅମୂଲ୍ୟ ସାହୁ, ସୁରେଶ ସାହୁ ଏବଂ ଶରତ ସାହୁ ବୋଲି ଆଇଆଇସି କୌଶିକ ମାଝୀ କହିଛନ୍ତି।
ପୋଲିସ ସୂଚନା ଅନୁଯାୟୀ, ୨୦୧୯ ଜୁଲାଇ ୨୭ରେ ଡଲାବାଡ଼ି ନିକଟରେ ଏକ ଜମିକୁ ନେଇ ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ପରେ ଡଲାବାଡ଼ି ଗ୍ରାମର ଯୁବତୀ ବେହେରା ଏବଂ ତାଙ୍କ ସ୍ବାମୀ ମାର୍କଣ୍ଡଙ୍କୁ ଆକ୍ରମଣ ହୋଇଥିଲା। ସେହିପରି ଯୁବତୀଙ୍କ ପରିବାର ଅନୁସୂଚିତ ଜାତି ହୋଇଥିବାରୁ ତାଙ୍କୁ ଜାତିଆଣ ଆକ୍ଷେପ କରାଯାଇଥିବା ମଧ୍ୟ ଅଭିଯୋଗ ହୋଇଥିଲା। ଏନେଇ ଯୁବତୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ।ସେହିପରି ଯୁବତୀ ଏବଂ ତାଙ୍କ ପରିବାର ବିରୋଧରେ ପାଲଟା ଅଭିଯୋଗ କରାଯାଇଥିଲା। ଏନେଇ କେସ୍‌ ନଂ. ୭୭/୧୯ରେ ମାମଲା ରୁଜୁ କରାଯାଇଥିବା ପୋଲିସ କହିଛି। ଉକ୍ତ ମାମଲାରେ ପୋଲିସ କାହାରିକୁ ଗିରଫ କରି ନ ଥିବା ଜଣାପଡ଼ିଛି। ଜାତିଆଣ ଆକ୍ଷେପ ରହିଥିବାରୁ ଘଟଣାର ବାଲିଗୁଡ଼ା ଏସ୍‌ଡିପିଓ ମାନସ ରଞ୍ଜନ ବାରିକ ତଦନ୍ତ କରୁଛନ୍ତି। ଉଭୟ ମାମଲାର ଅଧିକ ତଦନ୍ତ ଚାଲିଥିବା ଏସ୍‌ଡିପିଓ କହିଛନ୍ତି।

Share