ଜମିବାଡ଼ିକୁ କେନ୍ଦ୍ରକରି ୨ ଭାଇଙ୍କ ମଧ୍ୟରେ ବିବାଦ: ସାନ ଭାଇ ଆକ୍ରମଣରେ ବଡ଼ ମୃତ

ପୁରୀ ଅଫିସ,୧୪।୬: ପୁରୀ ଜିଲା ଟାଉନ ଥାନା ଅଧୀନ ଚୁଡ଼ଙ୍ଗ ସାହି ଖୁଣ୍ଟିଆ ବଗିଚାରୁ ଶୁକ୍ରବାର ଜଣେ ଯୁବକଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ସେ ହେଲେ ଉମାକାନ୍ତ ଆଚାର୍ଯ୍ୟ। ପ୍ରକାଶ ଯେ, ୨ ଭାଇ ଉମାକାନ୍ତ(ବଡ଼) ଓ ରମେଶ (ସାନ)ଙ୍କ ମଧ୍ୟରେ ଜମିବାଡ଼ିକୁ କେନ୍ଦ୍ରକରି ବିବାଦ ଲାଗି ରହିଥିଲା। ଗୁରୁବାର ରାତିରେ ମଧ୍ୟ ଗଣ୍ଡଗୋଳ ହୋଇଥିଲା। ଶୁକ୍ରବାର ଭୋର ସମୟରେ ଉମାକାନ୍ତଙ୍କ ମୃତଦେହ ଖୁଣ୍ଟିଆ ବଗିଚାରେ ପଡିଥିବା ସ୍ଥାନୀୟ ଲୋକେ ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ । ଖବରପାଇ ଟାଉନ ଥାନା ପୋଲିସ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ ସହ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୋଲିସ ଘଟଣାସ୍ଥଳରୁ ରକ୍ତ ଭିଜା କପଡ଼ା, ମାଟି ଓ ପଥର ଜବତ କରିଛି। ସମ୍ପତ୍ତି ଲୋଭରେ ଉମାକାନ୍ତଙ୍କୁ ସାନ ଭାଇ ରମେଶ ହତ୍ୟା କରିଥିବା ପୋଲିସର ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି। ଅନ୍ୟ ଜଣେ ଭାଇ ରବୀନ୍ଦ୍ରଙ୍କ ଅଭିଯୋଗ କ୍ରମେ ପୋଲିସ ମୃତଦେହ ଜବତକରି ବ୍ୟବଚ୍ଛେଦ ଲାଗି ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ଅଭିଯୋଗକୁ ଭିତ୍ତିକରି ପୋଲିସ ରମେଶଙ୍କୁ ଥାନାରେ ଅଟକରଖି ପଚରାଉଚରା ଚଳାଇଛି।

Share