ଜମିବିକ୍ରିରେ ଜାଲିଆତି: ଜଣେ ଗିରଫ

ଚାନ୍ଦବାଲି, ୧୮।୧୧ (ଡି.ଏନ.ଏ.)- ଭଦ୍ରକ ଜିଲା ଚାନ୍ଦବାଲି ତହସିଲ ଅଧୀନ ଧାମରା ଆର୍‌ଆଇ ସର୍କଲର ଅମରନଗର ମୌଜାରେ ଏକ ଜମିବିକ୍ରିରେ ଜାଲିଆତି ଅଭିଯୋଗରେ ବସନ୍ତ ମହତା ନାମକ ଜଣେ ଯୁବକଙ୍କୁ ସ୍ଥାନୀୟ ପୋଲିସ ସୋମବାର ଗିରଫ କରିଛି। ଏ ନେଇ ଚାନ୍ଦବାଲି ଥାନାରେ ଏକ ମାମଲା(ନଂ.୧୮୮/୨୦୧୯) ରୁଜୁ ହୋଇଛି। ବସନ୍ତ ତାଙ୍କ ବାପାଙ୍କ ଅନୁପସ୍ଥିତିରେ ଅନ୍ୟ ଜଣେ ଲୋକଙ୍କୁ ଠିଆ କରାଇ ବାପାଙ୍କ ନାମରେ ଥିବା ୬୦ ଡିସିମିଲ ଜମିକୁ ଶନିବାର ବିକ୍ରି କରୁଥିବା ବେଳେ ଘଟଣାଟି ପଦାକୁ ଆସିଥିଲା। ଶନିବାର ପୋଲିସ ବସନ୍ତଙ୍କୁ ଅଟକ ରଖି ପଚରାଉଚୁରା କରୁଥିଲା।
ପୋଲିସ ସୂଚନା ଅନୁଯାୟୀ, ବାଂଶଡ଼ା ଥାନା ଅନ୍ତର୍ଗତ ଅମରନଗରରେ ବସନ୍ତଙ୍କ ବାପାଙ୍କ ନାମରେ ଖାତା ନଂ.୧୧୫/୧୮୨ ପ୍ଲଟ ନଂ. ୮୬ର ବାରିପାଖ ଶାରଦ ଏକ କିସମ ୬୦ ଡିସିମିଲ ଜମି ଅଛି। ଉକ୍ତ ଜମିକୁ ୬ ଲକ୍ଷ ୬୦ ହଜାର ଟଙ୍କାରେ ବସନ୍ତ ଧାମରାସ୍ଥିତ ଏକ କମ୍ପାନୀର ଭୁବନେଶ୍ୱରର ଜଣେ ଦଲାଲଙ୍କୁ ବିକ୍ରି କରିବାକୁ ଯୋଜନା କରିଥିଲେ। ବସନ୍ତ ତାଙ୍କ ବାପାଙ୍କ ନକଲି ଆଧାରକାର୍ଡ ଓ ପରିଚୟପତ୍ର ପ୍ରସ୍ତୁତ କରି ଜମି ବିକ୍ରି ପାଇଁ ମସୁଧା କରିଥିଲେ। ଚାନ୍ଦବାଲି ସବରେଜିଷ୍ଟ୍ରାରଙ୍କର ଅଫିସରେ ଜମି ବିକ୍ରି କରୁଥିବା ବସନ୍ତଙ୍କ ପିତା ହୋଇ ଆସିଥିବା ବ୍ୟକ୍ତିଙ୍କ ଉପରେ ସନ୍ଦେହ ହୋଇଥିଲା। ଏ ସମ୍ପର୍କରେ ପୋଲିସକୁ ଖବର ଦିଆଯିବାରୁ ଉକ୍ତ ବ୍ୟକ୍ତି ସେଠାରୁ ଫେରାର ହୋଇଯାଇଥିଲେ। ଚାନ୍ଦବାଲି ପୋଲିସ ପହଞ୍ଚି ବସନ୍ତଙ୍କୁ ଆଣି ଥାନାରେ ଅଟକ ରଖି ପଚରାଉଚରା କରିବାରୁ ସେ ସ୍ବୀକାର କରିଥିଲେ। ଚାନ୍ଦବାଲି ସବରେଜିଷ୍ଟ୍ରାରଙ୍କ ଅଭିଯୋଗ କ୍ରମେ ପୋଲିସ ବସନ୍ତଙ୍କୁ ଗିରଫ କରିଛି। ଜମିର କ୍ରେତା ଓ ବସନ୍ତଙ୍କ ବାପାଙ୍କ ବଦଳରେ ଆସିଥିବା ନକଲି ବିକ୍ରେତାଙ୍କୁ ପୋଲିସ ଖୋଜୁଛି। ଉଲ୍ଲେଖନୀୟ ଯେ, ଧାମରାରେ ବନ୍ଦର ପ୍ରତିଷ୍ଠା ହେବା ପରେ ଜମି ଜାଲିଆତି ବଢ଼ିବାରେ ଲାଗିଛି। ବିସ୍ଥାପନକୁ ଏଡ଼ାଇବା ପାଇଁ କେତେକ କମ୍ପାନୀ ନିଜର ଦଲାଲଙ୍କ ମାଧ୍ୟମରେ ଏଠାରେ ଜମି କ୍ରୟ କରୁଛନ୍ତି। କେତେକ କ୍ଷେତ୍ରରେ ନକଲି କାଗଜପତ୍ର ଓ ବିକ୍ରେତାଙ୍କୁ ନେଇ ଏହି ଜମି ଜାଲିଆତି ହେଉଛି। ଗୋଟିଏ ଜମିକୁ ଏକାଧିକ ଥର ବିକ୍ରି ମଧ୍ୟ କରାଯାଉଛି।