ଜମି ଅଧିକାର ପ୍ରମାଣପତ୍ର ଦାବିରେ ଜିଲାପାଳ କାର୍ଯ୍ୟାଳୟ ଘେରାଉ

ବାରିପଦା ଅଫିସ,୨୭ା୮- ବାରିପଦା ପୌରାଞ୍ଚଳ ପଟ୍ଟାବିହୀନ ବାସିନ୍ଦା ସଂଘ ପକ୍ଷରୁ ସୋମବାର ଜମି ଅଧିକାର ପ୍ରମାଣପତ୍ର ଦାବିରେ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି। ସଭାପତି ନନ୍ଦ କୁମାର ମହାପାତ୍ରଙ୍କ ନେତୃତ୍ୱରେ ସଂଘର କର୍ମକର୍ତ୍ତାମାନେ ଜଗନ୍ନାଥ ମନ୍ଦିର ନିକଟରୁ ଶୋଭାଯାତ୍ରାରେ ବାହାରିଥିଲେ। ବିଭିନ୍ନ ପ୍ଲାକାର୍ଡ ଧରି ସ୍ଲୋଗାନ ଦେବା ସହିତ ସହର ପରିକ୍ରମା କରି ଜିଲାପାଳଙ୍କ କାର୍ଯ୍ୟାଳୟ ନିକଟକୁ ଆସିଥିଲେ। ଏହାପରେ ସଂଘର ସାଧାରଣ ସମ୍ପାଦକ କାହ୍ନୁ ଚରଣ ବେହେରାଙ୍କ ଅଧ୍ୟକ୍ଷତାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ସଂଘର ଉପଦେଷ୍ଟା, ଉପସଭାପତି ରବି ଗୋସ୍ବାମୀ, ଅମଲ ଦେ, ଭାରତୀ ପାତ୍ର, କାଶୀନାଥ ମାହାନା ପ୍ରମୁଖ ଯୋଗଦେଇ ଜିଲା ତଥା ରାଜ୍ୟ ସରକାର ଜାଣିଶୁଣି ଜମି ପଟ୍ଟା ପ୍ରଦାନ କରିବାରେ ବିଳମ୍ବ କରୁଥିବା ଅଭିଯୋଗ କରିଥିଲେ। ପରେ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା।