ଜମି ଅଧିକାର ସୁରକ୍ଷା କମିଟି ପକ୍ଷରୁ ଜିଲାପାଳଙ୍କୁ ସ୍ମାରକପତ୍ର

ଯାଜପୁର ଟାଉନ,୨୪ା୬(ଡି.ଏନ.ଏ.)- ପୁରୁଷାନୁକ୍ରମେ ଚାଷବାସ କରି ଜୀବିକା ନିର୍ବାହ କରିଆସୁଥିବା ଜମିରେ ଚାରାରୋପଣ ବନ୍ଦ କରିବା, ଦୀର୍ଘଦିନ ଧରି ଦଖଲିକୃତ ଅନାବାଦୀ ଜମିକୁ ଅବିଳମ୍ବେ ପଟ୍ଟା ଯୋଗାଇଦେବା ଆଦି ଦାବିରେ ଜମି ଅଧିକାର ସୁରକ୍ଷା କମିଟି, ସୁକିନ୍ଦା ପକ୍ଷରୁ କର୍ମକର୍ତ୍ତାମାନେ ସୋମବାର ଜିଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ସୁକିନ୍ଦା ବ୍ଲକ ଅନ୍ତର୍ଗତ ମହାଗିରି ଅବବାହିକାରେ ଅବସ୍ଥିତ ବିସ୍ତୀର୍ଣ୍ଣ ଚାଷଜମିରେ ଜଙ୍ଗଲ ବିଭାଗ ତରଫରୁ ବୃକ୍ଷରୋପଣ ଆରମ୍ଭ କରାଯାଇଛି। ଫଳରେ ଉକ୍ତ ଅଞ୍ଚଳରେ ଦୀର୍ଘଦିନ ଧରି ବସବାସ କରିଆସୁଥିବା ଚାଷୀ ମୂଲିଆ ପରିବାରଗୁଡ଼ିକ ମଧ୍ୟରେ ଆତଙ୍କ ଦେଖାଦେଇଛି। ହଜାର ହଜାର ପରିବାର ଜୀବିକା ନିର୍ବାହ ପାଇଁ ଏହି ଚାଷଜମି ଉପରେ ନିର୍ଭର କରିଥାନ୍ତି। ତେଣୁ ଏହି ଜମିରେ ବନୀକରଣ ଯୋଗୁ ସମ୍ପୃକ୍ତ ପରିବାର ସର୍ବସ୍ବାନ୍ତ ହେବେ, ଏଥିରେ ସନ୍ଦେହ ନାହିଁ। ଏହାର ପ୍ରତିବାଦସ୍ବରୂପ ସଙ୍ଗଠିତ ଚାଷୀ ମୂଲିଆଙ୍କ ପକ୍ଷରୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇବା ସହ ପୁରୁଷ ପୁରୁଷ ଧରି ଚାଷବାସ କରିଆସୁଥିବା ଜମିର ପଟ୍ଟା ପାଇଁ ଦାବି କରିଥିଲେ। କମିଟି ସଭାପତି ନୃସିଂହ ମହାନ୍ତ, ବିଜୟ ମୁଣ୍ଡା, ସୁପାଇ ମାଝି, ରାସାଇ ତିୟୁ, ମୋଚିରାମ ଟୁଡ଼ୁ, ନଜିଆ ସଏ ପ୍ରମୁଖ ଜିଲାପାଳଙ୍କ ସହ ଆଲୋଚନା କରିଥିଲେ। ବୃକ୍ଷରୋପଣ ବନ୍ଦ କରା ନ ଗଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବା ବୋଲି ସରକାରଙ୍କୁ ଚେତାବନୀ ଦେଇଥିଲେ।