Categories: ଅନୁଗୋଳ

ଜମି ଅଧିଗ୍ରହଣରେ ଅଟକିଛି ଆପ୍ରୋଚ ରୋଡ

ଛେଣ୍ଡିପଦା,୨୧।୬(ଡି.ଏନ.ଏ.)-ପୋଲ ନିର୍ମାଣର ୩ ବର୍ଷ ପରେ ବି ତିଆରି ହୋଇପାରୁନି ଦାମୋଦର ସେତୁକୁ ଆପ୍ରୋଚ ରୋଡ଼। ବ୍ୟକ୍ତିଗତ ଜମି ମାଲିକାନାକୁ ନେଇ ଆଗେଇ ପାରୁନି ଏହି ରାସ୍ତାକାମ। ବିଭାଗ ପକ୍ଷରୁ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଉ ନ ଥିବାବେଳେ ବିପଦସଙ୍କୁଳ ଅବସ୍ଥାରେ ଯାତାୟାତ କରୁଛନ୍ତି ଛେଣ୍ଡିପଦା ଅଞ୍ଚଳବାସୀ।
ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଅନୁଗୋଳ ଗ୍ରାମ୍ୟ ନିର୍ମାଣ ବିଭାଗ ପକ୍ଷରୁ ବିଜୁ ସେତୁ ଯୋଜନା ମାଧ୍ୟମରେ ପ୍ରାୟ ୩ ବର୍ଷ ତଳେ ଦାମୋଦର ସେତୁ ନିର୍ମାଣ ହୋଇଥିଲା। ଏଥିପାଇଁ ୩ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା। ଛେଣ୍ଡିପଦା ବ୍ଲକ କୋଶଳା-କୋରଡା ପୂର୍ତ୍ତ ବିଭାଗ ରାସ୍ତା କୋଶଳା ଗ୍ରାମ ନିକଟରେ ଥିବା ସିଙ୍ଗଡା ନାଳ ଉପରେ ଏହି ସେତୁ ନିର୍ମାଣ ହୋଇଥିଲେ ହେଁ ଏହାକୁ ଲାଗି ଉଭୟ ପାର୍ଶ୍ୱରେ ଆପ୍ରୋଚ ରୋଡ ତିଆରି ହୋଇପାରୁନାହିଁ। ଏହି ରାସ୍ତା ନିର୍ମାଣ ହେବାକୁ ଥିବା ଜାଗା କେତେକ ଲୋକଙ୍କ ବ୍ୟକ୍ତିଗତ ମାଲିକାନାରେ ରହିଥିବାରୁ ସେମାନେ ଏହାର ବିରୋଧ କରୁଛନ୍ତି। ଏଥିଯୋଗୁ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ଶୋଚନୀୟ ଅବସ୍ଥାରେ ଥିବା ଉକ୍ତ ରାସ୍ତାରେ ଗମନାଗମନରେ ଅସୁବିଧା ହେଉଛି। ଏବେ ବର୍ଷା ଦିନ ଆସିଯାଇଥିବାରୁ ଏଠାରେ ଯାତାୟାତ କରିବା କଷ୍ଟକର ହୋଇପଡିବ। ଅନ୍ୟପକ୍ଷରେ ଏହି ଗ୍ରାମ୍ୟ ବିଭାଗ ରାସ୍ତା ୨ ବର୍ଷରୁ ଊର୍ଦ୍ଧ୍ୱ ହେବ ଅନୁଗୋଳ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରାଯାଇଛି। ତଦନୁଯାୟୀ ଏହି ରାସ୍ତା ନିର୍ମାଣ ଏବଂ ସମ୍ପ୍ରସାରଣ କାର୍ଯ୍ୟକୁ ତ୍ୱରାନ୍ବିତ କରିବାକୁ ଅଞ୍ଚଳବାସୀ ଦୃଢ ଦାବି କରିଛନ୍ତି।
ଏ ନେଇ ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ପ୍ରତାପ ଚନ୍ଦ୍ର ବିଶ୍ୱାଳ କହିଛନ୍ତି, ବ୍ୟକ୍ତିଗତ ମାଲିକାନାରେ ଥିବା ଘରୋଇ ଜାଗାକୁ ସରକାରୀ ଜମି ଅଧିଗ୍ରହଣ ନିୟମ ଅନୁଯାୟୀ ଅଧିଗ୍ରହଣ କରାଯିବ ଏ ନେଇ କାର୍ଯ୍ୟ ଆରମ୍ଭ ହୋଇଛି। କ୍ଷତିଗ୍ରସ୍ତଙ୍କୁ ସରକାରୀ ନିୟମାନୁଯାୟୀ ଆବଶ୍ୟକ କ୍ଷତି ପୂରଣ ରାଶି ପ୍ରଦାନ କରାଯିବ। ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା କହିଛନ୍ତି, ଅଞ୍ଚଳବାସୀଙ୍କ ଗମନାଗମନ ସୁବିଧା ଦୃଷ୍ଟିରୁ ଏହି ରାସ୍ତାକୁ ପୂର୍ତ୍ତ ବିଭାଗ ପକ୍ଷରୁ ସମ୍ପ୍ରସାରଣ କରାଯାଇଛି। ଦାମୋଦର ସେତୁର ଉଭୟ ପାର୍ଶ୍ୱରେ ଥିବା ଆପ୍ରୋଚ ରୋଡ ଜାଗା ଅଧିଗ୍ରହଣ କାର୍ଯ୍ୟ କରିବା ପାଇଁ ସମସ୍ତ ପଦକ୍ଷେପ ନିଆଯାଇଛି। ସବୁ ପ୍ରକ୍ରିୟା କରାଯାଇ ସମ୍ପୃକ୍ତ ପ୍ରଜାମାନଙ୍କୁ କ୍ଷତିପୂରଣ ରାଶି ପ୍ରଦାନ କରାଯିବା ପରେ ଅବଶିଷ୍ଟ ନିର୍ମାଣ କାର୍ଯ୍ୟ କରାଯିବ।