ଜମି କରାଇଦେବା ନା’ରେ ଠକେଇ; ଆସନ୍ତା ୪ରେ କୋର୍ଟରେ ହାଜର ପାଇଁ ୬ ଜଣଙ୍କୁ ନୋଟିସ

ବ୍ରହ୍ମପୁର ଅଫିସ,୨୩ା୯-ଜମି କରାଇଦେବାକୁ କହି ଟଙ୍କା ଠକେଇ ହୋଇଥିବା ନେଇ ଏସ୍‌ଡ଼ିଜେଏମ କୋର୍ଟରେ ଖଲି ଦାସ ଆବେଦନ କରିଥିଲେ। କୋର୍ଟ ପକ୍ଷରୁ ନଂ.୨୨୭/୧୯ରେ ଏକ ୱାନ ସିସି ମାମଲା ରୁଜୁ ହୋଇଥିଲା। ଏହାର ଶୁଣାଣି କରି ଏସ୍‌ଡ଼ିଜେଏମ୍‌ ସରୋଜିନୀ ସାହୁ ୬ ଜଣଙ୍କୁ ଆସନ୍ତା ୪ ତାରିଖରେ କୋର୍ଟରେ ହାଜର ପାଇଁ ନୋଟିସ ଜାରି କରିଛନ୍ତି। ସେମାନେ ହେଲେ ହଳଦିଆପଦରର ଶାନ୍ତିଲତା ମହାରଣା, ନର୍ମଦା ମହାରଣା, ସୁକାନ୍ତି ମହାରଣା, ଗୋଷାଣୀନୂଆଗଁାର ପୁଷ୍ପାଞ୍ଜଳି ମହାରଣା, ମନମୋହନ ମହାରଣା ଓ ଲଳିତ ମୋହନ ମଙ୍ଗରାଜ ବୋଲି କୋର୍ଟ ସୂତ୍ରରୁ ଜଣାପଡ଼ିିଛି।
ପ୍ରକାଶ ଯେ, ୨୦୧୩ ରେ ହଳଦିଆପଦର ମୌଜାରେ ଶାନ୍ତିଲତା ପାଣିଗ୍ରାହୀ, ନର୍ମଦା ମହାରଣା ଓ ସୁକାନ୍ତି ମହାରଣାଙ୍କ ନାମରେ ଥିବା ୩୯.୬ ଡେସିମିଲ ଜାଗା ପାଇଁ ସେମାନେ ଖଲିଙ୍କଠାରୁ ଟଙ୍କା ନେଇଥିଲେ। ଏପରିକି ରେଜିଷ୍ଟ୍ରିର ସେଲ ଡ଼ିଡ଼ ନମ୍ବର ୧୦୬୧୧୩୦୫୪୧୯୧ ରେ ଉକ୍ତ ଜମିକୁ ଖଲି କିଣିଥିଲେ। ହେଲେ ଉକ୍ତ ଜମିର ପଟ୍ଟା ପାଇଁ ଖଲି ଦାସ କନିଷି ତହସିଲରେ ଆବେଦନ କରିଥିଲେ ମଧ୍ୟ ତାଙ୍କୁ ପଟ୍ଟା ମିଳି ନ ଥିଲା। ଉକ୍ତ ଜମିର ପଟ୍ଟା କରାଇଦେବା ସହ ଉକ୍ତ ଜମି ନିକଟରେ ଥିବା ଅନ୍ୟ ଏକ ଜମି କରାଇଦେବି ବୋଲି ଲଳିତ ମୋହନ ମଙ୍ଗରାଜ କହି ଖଲିଙ୍କଠାରୁ ୨୦ ଲକ୍ଷ ଟଙ୍କା ନେଇଥିଲେ। ହେଲେ ସେ କିଣିଥିବା ଜମିର ପଟ୍ଟା ନ ହେବାରୁ ଖଲି ଲଳିତ ମଙ୍ଗରାଜଙ୍କୁ ଦେଇଥିବା ଟଙ୍କା ଫେରାଇ ଦେବାକୁ କହିଥିଲେ। ଲଳିତ ୧୨ ଲକ୍ଷ ଟଙ୍କା ଖଲିଙ୍କୁ ଫେରାଇଥିବା ବେଳେ ବଳକା ୮ ଲକ୍ଷ ଟଙ୍କା ଫେରାଇ ନ ଥିଲେ। ଅନ୍ୟପଟେ ଖଲି କ୍ରୟ କରିଥିବା ୩୯.୬ ଡେସିମିଲ ଜାଗାର ନକଲି କାଗଜପତ୍ର କରି ହଡପ କରିଥିବା ଖଲି ଜାଣିବାକୁ ପାଇଥିଲେ। ଶେଷରେ ସେ ଏସ୍‌ଡ଼ିଜେଏମ କୋର୍ଟରେ ନ୍ୟାୟ ପାଇବା ପାଇଁ ଆଶ୍ରୟ ନେଇଛନ୍ତି।