ଜମି ଚିହ୍ନଟ ଦାବିରେ ଭୂମିହୀନଙ୍କ ଧାରଣା

ବନ୍ତ, ୨୭।୫ (ଡି.ଏନ.ଏ.) – ଭଦ୍ରକ ଜିଲା ବନ୍ତ ତହସିଲ ଅଧୀନ ଷେଣ୍ଢତୀରା ପଞ୍ଚାୟତ ବରପଦା ଗ୍ରାମରେ ବସୁନ୍ଧରା ଯୋଜନାରେ ହିତାଧିକାରୀଙ୍କୁ ପଟ୍ଟା ମିଳିଛି। ହେଲେ ଜମି ଚିହ୍ନଟ ହୋଇପାରୁ ନ ଥିବାରୁ ସେମାନେ ଘର କରିପାରୁ ନାହାନ୍ତି। ତୁରନ୍ତ ଜମି ଚିହ୍ନଟ ଦାବିରେ ଗ୍ରାମର ଭୂମିହୀନମାନେ ସୋମବାର ତହସିଲ କାର୍ଯ୍ୟାଳୟ ଆଗରେ ଧାରଣା ଦେଇ ବସି ରହିଥିଲେ। ଜମି ଚିହ୍ନଟ କରାଯିବ ବୋଲି ତହସିଲଦାର ପ୍ରତିଶ୍ରୁତି ଦେବାରୁ ଧାରଣା ପ୍ରତ୍ୟାହୃତ ହୋଇଥିଲା।
ଧାରଣା ଦେଇଥିବା ହିତାଧିକାରୀମାନେ ଅଭିଯୋଗ କରିଛନ୍ତି ଯେ, ବରପଦା ମୌଜାର ଖାତା ନମ୍ବର-୨୫୩, ରକବା-ଏ୨-୪୩ଡି. ସରକାରୀ ଜମି ଥିବାବେଳେ ଉକ୍ତ ଜମିକୁ କେତେକ ବ୍ୟକ୍ତି ଜବରଦଖଲ କରି ଘେରାବନ୍ଦୀ କରିଛନ୍ତି। ଫଳରେ ଗ୍ରାମର କୌଣସି ଉନ୍ନୟନମୂଳକ କାର୍ଯ୍ୟ ହୋଇପାରୁ ନାହିଁ। ଏଥିସହ ଦୀର୍ଘବର୍ଷ ଧରି ଭୂମିହୀନ ଲୋକେ ସରକାରୀ ପଟ୍ଟା ପାଇଥିଲେ ମଧ୍ୟ ଜାଗା ଚିହ୍ନଟ ହୋଇପାରୁ ନାହିଁ। ଏଥିଯୋଗୁ ସେମାନେ ସରକାରୀ ଯୋଜନାରେ ପାଇଥିବା ପକ୍କାଗୃହ ନିର୍ମାଣ କରିବାରେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଥିନେଇ ସେମାନେ ପୂର୍ବରୁ ବହୁବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନାହିଁ। ଶେଷରେ ବାଧ୍ୟହୋଇ ସୋମବାର ତହସିଲ ଅଫିସ ସମ୍ମୁଖରେ ସେମାନେ ଧାରଣା ଦେଇଥିଲେ। ବରପଦା ଗ୍ରାମର ସୁରେନ୍ଦ୍ର ମୁଣ୍ଡା, ବାସନ୍ତୀ ମୁଣ୍ଡା, ମଞ୍ଜୁ ମୁଣ୍ଡା, ପ୍ରମୋଦ ମୁଣ୍ଡା, ନିରଞ୍ଜନ ମୁଣ୍ଡା, ତନ ମୁଣ୍ଡା, ଗଣେଶ ମୁଣ୍ଡା, କାଳନ୍ଦୀ ମୁଣ୍ଡା, ଚମ୍ପା ମୁଣ୍ଡା, ରେବତୀ ମୁଣ୍ଡା ଓ କୁନି ମୁଣ୍ଡା ପ୍ରମୁଖ ଧାରଣାରେ ସାମିଲ ଥିଲେ। ଏ ସମ୍ପର୍କରେ ତହସିଲଦାର ମନୋରମା ଜାଲିଙ୍କୁ ପଚାରିବାରୁ କହିଛନ୍ତି, ଉକ୍ତ ଜମି ଦେଖିବା ପାଇଁ ଅତିରିକ୍ତ ତହସିଲଦାରଙ୍କୁ ପଠାଯାଇଥିଲା। ଖୁବ୍‌ଶୀଘ୍ର ଜବରଦଖଲ ଉଚ୍ଛେଦ କରାଯାଇ ପଟ୍ଟା ପାଇଥିବା ଭୂମିହୀନମାନଙ୍କୁ ଜାଗା ଯୋଗାଇ ଦିଆଯିବ ବୋଲି ସେ ପ୍ରକାଶ କରିଛନ୍ତି।