ଜମି ଚିହ୍ନଟ ପାଇଁ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

ବାରିପଦା ଅଫିସ, ୧୧ା୨- ମୟୂରଭଞ୍ଜ ଜିଲା ଶ୍ୟାମାଖୁଣ୍ଟା ବ୍ଲକ ଅଧୀନ ଦୁଧିଆଶୋଳ ଗ୍ରାମବାସୀ ଜମି ପଟ୍ଟା ପାଇଥିବା ବେଳେ ସେମାନଙ୍କ ଜମି ଚିହ୍ନଟ ହୋଇପାରୁ ନାହିଁ। ଫଳରେ କିଛି ଲୋକ ଅନ୍ୟାୟ ଭାବେ ସେମାନଙ୍କ ଜମିକୁ ମାଡ଼ି ବସିଛନ୍ତି। ଏହାର ସମାଧାନ ପାଇଁ ସୋମବାର ଗ୍ରାମବାସୀ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇ ତୁରନ୍ତ ଜାଗା ଚିହ୍ନଟ କରିବାକୁ ଦାବି କରିଥିଲେ। ଗ୍ରାମର ପାର୍ବତୀ କାଳନ୍ଦି, ପ୍ରମିଳା କାଳନ୍ଦି, ଗୁରୁବାରୀ କାଳନ୍ଦି, ସୁକାନ୍ତୀ କାଳନ୍ଦି, ଲକ୍ଷ୍ମୀ କାଳନ୍ଦିଙ୍କ ସମେତ ଏକାଧିକ ମହିଳା ପୁରୁଷ ଏ ନେଇ ଜିଲାପାଳଙ୍କୁ ଅଭିଯୋଗ କରିବାକୁ ଆସିଥିଲେ।
ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ସରକାରଙ୍କ ପକ୍ଷରୁ ୨୦୦୬ ଓ ୨୦୦୮ରେ ସେମାନଙ୍କୁ ୪ ଡିସିମିଲି ଲେଖାଏଁ ଜାଗାର ପଟ୍ଟା ମିଳିଥିଲା। ସେମାନେ ଜାଗା ଚିହ୍ନଟ ପାଇଁ ଦୀର୍ଘ ଦିନ ହେଲା ଶ୍ୟାମଖୁଣ୍ଟା ତହସିଲଦାରଙ୍କଠାରେ ଆବେଦନ କରିଥିଲେ। ୧୬ ସେପ୍ଟେମ୍ବର ୨୦୧୯ରେ ତହସିଲଦାର ଓ ସେମାନଙ୍କ ଟିମ୍‌ ଜାଗା ମାପ କରିବା ପାଇଁ ଯାଇଥିଲେ। ଏହି ସମୟରେ ଗ୍ରାମର କିଛି ଯୁବକ ଗଣ୍ଡଗୋଳ କରି ଜମି ମାପ କରାଇ ଦେଇ ନ ଥିଲେ। ପରେ ଏ ନେଇ ୧୯ ତାରିଖରେ ଗ୍ରାମରେ ବୈଠକ କରାଯାଇ ଯେଉଁମାନେ ଜମି ମାପ କାର୍ଯ୍ୟକୁ ବିରୋଧ କରି ଗଣ୍ଡଗୋଳ କରିଥିଲେ ସେମାନଙ୍କୁ ଜାଗା ଦିଆଯିବ ନାହିଁ ବୋଲି ନିଷ୍ପତ୍ତି ହୋଇଥିଲା। ଏହିଭଳି ବିଭିନ୍ନ ସମୟରେ ତହସିଲଦାର ମାପ କରିବାକୁ ଯାଇଥିବା ବେଳେ ଜମି ମାପ ହୋଇ ପାରି ନ ଥିଲା। ଫେବୃୟାରୀ ୩ ତାରିଖରେ ରଙ୍ଗମାଟିଆ ଆରଆଇ, ଅମିନ,ସୁପରଭାଇଜର ଯାଇଥିବା ବେଳେ ଗ୍ରାମର କିଛି ଲୋକ ଘେରି ଯାଇ ଯାହାର ଜମି ମପା ଯାଉଥିଲା ସେମାନଙ୍କୁ ଆକ୍ରମଣ କରିଥିଲେ। ସେମାନେ ଆହତ ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ଏ ନେଇ ଆକ୍ରମଣକାରୀ ବ୍ୟକ୍ତିଙ୍କ ବିରୋଧରେ ସଦର ଥାନାରେ ଅଭିଯୋଗ ହୋଇଥିଲା। ହେଲେ ପୋଲିସ ଉକ୍ତ ଆକ୍ରମଣକାରୀମାନଙ୍କୁ ଗିରଫ କରୁ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତେଣୁ ସେମାନଙ୍କ ଜମି ମାପ କରାଇ ନ୍ୟାୟ ଦେବାକୁ ଗ୍ରାମବାସୀ ଜିଲାପାଳଙ୍କ ନିକଟରେ ଦାବି କରିଛନ୍ତି।

Share