ଜମି ଦେବା ନାଁରେ ୭୮ ଲକ୍ଷ ଠକେଇ: ବିଲ୍‌ଡର ଗିରଫ

ମଙ୍ଗୁଳି,୧୫ା୭(ଡି.ଏନ୍‌.ଏ.): ଏକାଧିକ ସ୍ଥାନରେ ଜମି ଦେବାକୁ ପ୍ରତିଶ୍ରୁତି ଦେଇ ୭୮ ଲକ୍ଷ ଟଙ୍କା ଠକିନେବା ଅଭିଯୋଗରେ ପ୍ରଶାନ୍ତ ବେହେରା ନାମକ ଜଣେ ବିଲ୍‌ଡରଙ୍କୁ ଜଗତ୍‌ପୁର ପୋଲିସ ଗିରଫ କରି ଗୁରୁବାର କୋର୍ଟଚାଲାଣ କରିଛି। ତାଙ୍କ ଘର ଗଞ୍ଜାମ ଥାନା କାଇଞ୍ଚପୁର ଗ୍ରାମରେ ହୋଇଥିବାବେଳେ ସେ କଟକ ଚାଉଳିଆଗଞ୍ଜ ଥାନା ଅଧୀନ ମହାନଦୀ ବିହାରରେ ରହୁଥିଲେ। ମିଳିଥିବା ସୂଚନା ଅନୁଯାୟୀ, ପ୍ରଶାନ୍ତ ଜୟ ମାତାଦି କନଷ୍ଟ୍ରକ୍ସନ ଆଣ୍ଡ୍‌ ଡେଭଲପର ପ୍ରାଃ. ଲିମିଟେଡ ନାମକ ବିଲ୍‌ଡ୍‌ର ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ। ସେ ଶିଖରପୁର ଉପରସାହି ଅଞ୍ଚଳର ଅଶେଷ ସେଠୀ ନାମକ ବ୍ୟକ୍ତିଙ୍କୁ ଜମି ଯୋଗାଇ ଦେବାକୁ କହି ୨୦ ଲକ୍ଷ ଟଙ୍କା ଅଗ୍ରୀମ ନେଇଥିଲେ। ସେହିପରି ଜମି ଯୋଗାଇ ଦେବା ପାଇଁ ମଧ୍ୟ ଅଶେଷଙ୍କ ମାର୍ଫତରେ ତାଙ୍କର ଜଣେ ବନ୍ଧୁଙ୍କଠାରୁ ୫୮ ଲକ୍ଷ ଟଙ୍କା ନେଇଥିଲେ। ହେଲେ ପରବର୍ତ୍ତୀ ସମୟରେ ପ୍ରଶାନ୍ତ ସେମାନଙ୍କୁ ଜମି ଦେଇ ନଥିଲେ। ଫଳରେ ସେମାନେ ତାଙ୍କୁ ଟଙ୍କା ମାଗିଥିଲେ। ସେମାନଙ୍କୁ ଉକ୍ତ ସଂସ୍ଥା ପକ୍ଷରୁ ୫୦ ଲକ୍ଷ ଟଙ୍କାର ଏକ ବ୍ୟାଙ୍କ୍‌ ଚେକ୍‌ ପ୍ରଦାନ କରାଯାଇଥିଲା। ହେଲେ ଉକ୍ତ ଚେକ୍‌ ବାଉନ୍ସ ହୋଇଯାଇଥିଲା। ଅଶେଷ ଏ ସମ୍ପର୍କରେ ପ୍ରଶାନ୍ତଙ୍କୁ ପଚାରିଥିଲେ। ପରେ ପ୍ରଶାନ୍ତ ଉକ୍ତ ବ୍ୟାଙ୍କର ଅନ୍ୟଏକ ଆକାଉଣ୍ଟ ନମ୍ବରରେ ୫୦ ଲକ୍ଷ ଟଙ୍କାର ଚେକ୍‌ ପ୍ରଦାନ କରିଥିଲେ। ପୁନଶ୍ଚ ଉକ୍ତ ଚେକ୍‌ ବାଉନ୍ସ ହୋଇଯାଇଥିଲା। ଅଶେଷ ଓ ତାଙ୍କ ବନ୍ଧୁ ଠକାମିର ଶିକାର ହୋଇଥିବା ଜାଣିପାରି ଚେକ୍‌ ବାଉନ୍ସକୁ ନେଇ କଟକ ଜେଏମ୍‌ଏଫ୍‌ସି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପ୍ରଶାନ୍ତଙ୍କୁ ଜଗତ୍‌ପୁର ପୋଲିସ ଗିରଫ କରିଛି। ଏ ନେଇ ଥାନାରେ ଏକ ମାମଲା(ନଂ.୨୯୮/୨୨) ରୁଜୁ ହୋଇଛି। ସେହିପରି ଠକାମିର ଶିକାର ହୋଇଥିବା ଅନ୍ୟ କେତେଜଣ ବ୍ୟକ୍ତି ପ୍ରଶାନ୍ତଙ୍କ ନଁାରେ ଥାନାରେ ଅଭିଯୋଗ କରିଥିବା ଥାନାଧିକାରୀ ରବୀନ୍ଦ୍ରନାଥ ମେହେର କହିଛନ୍ତି।