Categories: ଯାଜପୁର

ଜମି ପଟ୍ଟା ଯୋଗାଇଦେବାକୁ ଜିଲାପାଳଙ୍କୁ ନିବେଦନ

ଯାଜପୁର ଟାଉନ,୧୧-୯(ଡି.ଏନ୍‌.ଏ.)- ଯାଜପୁର ବ୍ଲକର ସିମିଳିଆ ପଞ୍ଚାୟତର ଶହ ଶହ ଲୋକମାନେ ଜମିପଟ୍ଟା ପାଇବାରୁ ବଞ୍ଚତ୍ତ ଅଛନ୍ତି। ଏନେଇ ଗତ ମାର୍ଚ୍ଚ ୬ ତାରିଖରେ ଏହି ପଞ୍ଚାୟତର ଶତାଧିକ ଗ୍ରାମବାସୀ ଏବଂ ଅଲଇଣ୍ଡିଆ କୃଷକ କ୍ଷେତ ମଜଦୂର ସଂଗଠନ ପକ୍ଷରୁ ଜିଲାପାଳଙ୍କ ଅଫିସ ଆଗରେ ଗଣଧାରଣା ଦିଆଯାଇଥିଲା। ସେତେବେଳେ ପ୍ରଶାସନ ପକ୍ଷରୁ ଯଥାଶୀଘ୍ର ବନ୍ଦୋବସ୍ତ ପୂର୍ବକ ପଟ୍ଟା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ମିଳିଥିଲା। ମାତ୍ର ଇତିମଧ୍ୟରେ ୬ ମାସ ଅତିକ୍ରାନ୍ତ ହୋଇଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଅଞ୍ଚଳବାସୀଙ୍କୁ ପଟ୍ଟା ପ୍ରଦାନ କରାଯାଇ ନାହିଁ। ଏପରିସ୍ଥଳେ କୃଷକ ନେତା ପ୍ରମୋଦ ମଲ୍ଲିକ, ଭୀମସେନ ରାଉତ, ଘନଶ୍ୟାମ ପରିଡା, ମେଘନାଦ ଜେନା, ଉପେନ୍ଦ୍ର ସାମଲ, ହରେକୃଷ୍ଣ ନାୟକ, ଘନଶ୍ୟାମ ସେଠୀ ପ୍ରମୁଖଙ୍କ ନେତୃତ୍ୱରେ ଶତାଧିକ ଚାଷୀ ଓ ଗ୍ରାମବାସୀ ମଙ୍ଗଳବାର ମିଳିତ ଅଭିଯୋଗ ଶୁଣାଣି ଶିବିରକୁ ଆସି ଜିଲାପାଳ ରଞ୍ଜନ କୁମାର ଦାସଙ୍କୁ ଭେଟି ଦାବୀପତ୍ର ପ୍ରଦାନ କରିଛନ୍ତି। ଆସନ୍ତା ୧ମାସ ମଧ୍ୟରେ ଏହି ପଞ୍ଚାୟତର ବନ୍ଦୋବସ୍ତ ସମାପ୍ତ ପୂର୍ବକ ସମସ୍ତଙ୍କୁ ଜମି ପଟ୍ଟା ଯୋଗାଇ ନ ଦେଲେ ଆସନ୍ତା ଅକ୍ଟୋବର ୧୫ ତାରିଖ ଠାରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ଗଣଧାରଣାରେ ବସିବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।