ଜମି ବିବାଦରୁ ହତ୍ୟା: ବଡ଼ଭାଇ ଖଣ୍ଡା ଚୋଟରେ ସାନଭାଇର ଜୀବନ ଗଲା

ସିମୁଳିଆ, ୧୫।୧୦(ଡି.ଏନ.ଏ.)-ଜମିବାଡ଼ି ବିବାଦକୁ କେନ୍ଦ୍ର କରି ମଙ୍ଗଳବାର ବାଲେଶ୍ୱର ଜିଲା ସିମୁଳିଆ ଥାନା ଖଇରା ବ୍ଲକ ବିଷ୍ଣୁପୁର ଗ୍ରାମରେ ଏକ ହତ୍ୟାକାଣ୍ଡ ଘଟିଛି। ବଡ଼ଭାଇ କୈଳାସ ମାଝି(୫୦)ଙ୍କ ଖଣ୍ଡା ଚୋଟରେ ସାନଭାଇ ସୁରେଶ(୩୭)ଙ୍କର ମୃତ୍ୟୁ ଘଟିଛି। ଏ ସମ୍ପର୍କରେ ମୃତ ସୁରେଶଙ୍କ ସ୍ତ୍ରୀ ସବିତା ଥାନାରେ ତାଙ୍କ ଦେଢ଼ଶୁର କୈଳାସ, ତାଙ୍କ ସ୍ତ୍ରୀ ଲକ୍ଷ୍ମୀପ୍ରିୟା, ଝିଅ ସାବିତ୍ରୀ, ବଡ଼ପୁଅ ହେମନ୍ତ ଓ ସାନପୁଅ ସୁଶାନ୍ତଙ୍କ ନାମରେ ଅଭିଯୋଗ କରିଛନ୍ତି । ପୋଲିସ ମାମଲା (ନଂ. ୨୯୩/୧୯) ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଏହି ଘଟଣା ପରେ କୈଳାସ ଫେରାର ହୋଇଯାଇଥିବାରୁ ପୋଲିସ ତାଙ୍କ ସ୍ତ୍ରୀ ଲକ୍ଷ୍ମୀପ୍ରିୟା ଓ ଝିଅ ସାବିତ୍ରୀଙ୍କୁ ଅଟକ ରଖି ପଚରାଉଚୁରା କରୁଛି।
ଜମିବାଡ଼ି ନେଇ ପୂର୍ବରୁ ଦୁଇ ଭାଇଙ୍କ ମଧ୍ୟରେ ମତାନ୍ତର ଥିଲା। ତେବେ ସୁରେଶ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏକ ପକ୍କା ଘର ଲାଗି କାର୍ଯ୍ୟାଦେଶ ପାଇଥିଲେ। ସେ ଉକ୍ତ ଜମିରେ ପକ୍କା ଘର ନିର୍ମାଣ ଲାଗି ଉଦ୍ୟମ କରୁଥିବା ବେଳେ ବଡ଼ଭାଇ କୈଳାସ ତାଙ୍କ ମୁଣ୍ଡ, ବେକ ଓ ହାତକୁ ଖଣ୍ଡାରେ ଚୋଟ ମାରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଭଦ୍ରକ ଡାକ୍ତରଖାନାକୁ ନିଆଯାଇଥିଲେ ହେଁ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ସୋମବାର ରାତିରେ ଦେଢ଼ଶୁର କୈଳାସ ନିଜ ଗ୍ରାମର ଦୁଇ ସହଯୋଗୀ ମୃତ୍ୟୁଞ୍ଜୟ ଦାସ ଓ ମନୋଜ ଦାସଙ୍କ ସହଯୋଗରେ ସୁରେଶଙ୍କୁ ମାଡ଼ ମାରିଥିବାର ସବିତା ଏତଲାରେ ଦର୍ଶାଇଛନ୍ତି।

Share