ଜମୁର୍ଡା ଗୁଳିକାଣ୍ଡ ରହସ୍ୟ ଉନ୍ମୋଚିତ: ଡକାୟତି ପାଇଁ ହତ୍ୟା, ତାନ୍ତ୍ରିକ ବାବା ସମ୍ପୃକ୍ତ

ବରଗଡ଼ ଅଫିସ, ୨୯।୬: ବରଗଡ଼ ଟାଉନ ଥାନା ଅନ୍ତର୍ଗତ ଜମୁର୍ଡା ଗ୍ରାମରେ ଗତ ୯ ତାରିଖ ବିଳମ୍ବିତ ରାତିରେ ଘଟିଥିବା ଗୁଳିକାଣ୍ଡ ଓ ହତ୍ୟା ଘଟଣାର ପର୍ଦ୍ଦାଫାଶ ହୋଇଛି। ଡକାୟତିରେ ବିଫଳ ହେବା ପରେ ଅଭିଯୁକ୍ତମାନେ ଗୁଳିକାଣ୍ଡ ଓ ହତ୍ୟା କରିଥିବା ସ୍ବୀକାର କରିଛନ୍ତି। ଏହି କଥା ଶନିବାର ବରଗଡ଼ ଜିଲା ପୋଲିସ ମୁଖ୍ୟାଳୟରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଏସ୍‌ପି ମୁକେଶ କୁମାର ଭାମୁ ସୂଚନା ଦେଇଛନ୍ତି। ତେବେ ଉକ୍ତ ଘଟଣାରେ ୬ ଅଭିଯୁକ୍ତ ସାମିଲଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ଜଣେ ଅଭିଯୁକ୍ତ ଅମ୍ବାଭୋନା ଗ୍ରାମର ରାକେଶ ବେହେରା ଗତ ୨୧ ତାରିଖରେ ଅମ୍ବାଭୋନା ଥାନା ଅଧୀନ କଲମୀ ଗ୍ରାମସ୍ଥ ମାମୁଘରକୁ ଯାଇଥିଲେ। ସେଠାରେ ମୁଣ୍ଡକୁ ନିଜେ ଗୁଳି କରି ଆତ୍ମହତ୍ୟା କରିଛନ୍ତି। ଅନ୍ୟ ଜଣେ ଅଭିଯୁକ୍ତ ବରପାଲି ନିବାସୀ ଟୁନୁ ଓରଫ ନକୁଳ ମାଝି ଗତ ୨୩ ତାରିଖ ବରପାଲିରେ ପିସ୍ତଲ ମୁନରେ ମହଦା ସରପଞ୍ଚ ନାରାୟଣ ପ୍ରଧାନଙ୍କୁ ଧମକ ଦେଇ ଗିରଫ ହୋଇଥିଲେ।
ସେହିପରି ଅନ୍ୟ ୪ ଅଭିଯୁକ୍ତ ଉତ୍ତରପ୍ରଦେଶ ନିବାସୀ ଲାଲ ବିବେକ ସିଂ, ବିହାର ନିବାସୀ ରାଜେଶ ସିଂ, ବଲାଙ୍ଗିର ଇନ୍ଦିରାନଗର ନିବାସୀ ମନୋଜ ବଢ଼ିଆ ଓ ଜଣେ ତାନ୍ତ୍ରିକ ବାବା ତଥା କଳାପାଣିର ତବଡ଼ା ବାବା ଓରଫ ସୁରେନ ମଲ୍ଲିକଙ୍କୁ ଗିରଫ କରି ଖବରଦାତା ସମ୍ମିଳନୀରେ ପୋଲିସ ହାଜର କରିଥିଲା। ଅଭିଯୁକ୍ତ ଲାଲ ବିବେକ, ରାଜେଶ ଏବଂ ମନୋଜଙ୍କୁ ଝାଡ଼ଖଣ୍ଡରୁ ଗିରଫ କରାଯାଇ ଥିବାବେଳେ ତବଡ଼ା ବାବାଙ୍କୁ ଆସାମର ଗୁଆହାଟିରୁ ଗିରଫ କରାଯାଇଥିବା ଏସ୍‌ପି ସୂଚନା ଦେଇଛନ୍ତ। ସେମାନଙ୍କଠାରୁ ୩ ପିସ୍ତଲ, ୩ ବାଇକ୍‌, ଗୋଟିଏ କାର ଏବଂ ୨ଟି ଜୀବନ୍ତ ଗୁଳି ଜବତ କରାଯାଇଛି। ତେବେ ଟୁନୁ ମାଝିଙ୍କଠାରୁ ଜବତ ପିସ୍ତଲ ଜମୁର୍ଡା, ଅମ୍ବାଭୋନା ଏବଂ ବରପାଲି ଗୁଳିକାଣ୍ଡରେ ବ୍ୟବହାର ହୋଇଥିବା ଘଟଣାକୁ ନେଇ ଅଧିକ ତଦନ୍ତ ଚାଲୁଥିବା ଏସ୍‌ପି କହିଛନ୍ତି । ଖବରଦାତା ସମ୍ମିଳନୀରେ ଏସ୍‌ଡିପିଓ କ୍ଷୀରସାଗର ନାଏକ, ଡିଏସ୍‌ପି ନଗେନ୍ଦ୍ର ପ୍ରସାଦ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।
ପ୍ରକାଶଥାଉଯୋଗ୍ୟ, ସମ୍ବଲପୁର ଜିଲା ଧମା ଅନ୍ତର୍ଗତ ବରଗାଁର ମୂଳ ବାସିନ୍ଦା ବସନ୍ତ ପ୍ରଧାନ ଜମୁର୍ଡାସ୍ଥିତ ଭଉଣୀ ଜ୍ୱାଇଁଙ୍କ ଘର ଛାତ ଉପରେ ଶୋଇଥିବାବେଳେ ଅଭିଯୁକ୍ତମାନେ ତାଙ୍କୁ ଗୁଳିକରି ହତ୍ୟା କରିବା ପରେ ଫେରାର ହୋଇ ଯାଇଥିଲେ ।