Categories: ଜାତୀୟ

ଜମ୍ମୁରେ ବଡ଼ ଧରଣର ବିସ୍ଫୋରଣ: ୩ମୃତ, ୧୫ରୁ ଊର୍ଦ୍ଧ୍ୱ ଆହତ

ଶ୍ରୀନଗର,୧୪।୩: ଜମ୍ମୁର ରେସିଡେନ୍ସି ରୋଡ ଅଞ୍ଚଳରେ ସୋମବାର ସନ୍ଧ୍ୟାରେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଦମକଳ ଓ ପୋଲିସ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଆହତଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ, ସୋମବାର ସନ୍ଧ୍ୟାରେ ରେସିଡେନ୍ସି ରୋଡ ଅଞ୍ଚଳ ସ୍ଥିତ ଏକ କବାଡିଆ ଦୋକାନରେ ନିଆଁ ଲାଗିଯାଇଥିଲା। ଏହି ନିଆଁ ଏତେ ଭୟଙ୍କର ଥିଲା ଯେ, ଦେଖୁଁ ଦେଖୁଁ ଚାରିଆଡେ ବାପିଯାଇଥିଲା। ଏହି ନିଆଁ ବିଲ୍ଡିଂରେ ଲାଗିଯିବାରୁ ସେଠାରେ ଥିବା କେତେକ ଏଲ୍‌ପିଜି ସିଲିଣ୍ଡର ଫାଟିଯାଇଥିଲା। ଘଟଣାସ୍ଥଳରେ ପୋଲିସ, ଅଗ୍ନିଶମ କର୍ମଚାରୀ ଏବଂ ସ୍ଥାନୀୟ ଲୋକଙ୍କ ସହାୟତାରେ ନିଆଁକୁ ଆୟତ୍ତ କରିବା ସହ ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଏବେ ବି ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ତେବେ ସର୍ଟ ସର୍କିଟ ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଥିବା ନେଇ ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି।

Share