Categories: ଜାତୀୟ

ଜମ୍ମୁ-କଶ୍ମୀରରେ ଏନ୍‌କାଉଣ୍ଟର: ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିପଡ଼ିଲେ ୩ ଆତଙ୍କବାଦୀ

ଶ୍ରୀନଗର,୩୧।୧: ଜମ୍ମୁ-କଶ୍ମୀରରେ ପୁଣି ଥରେ ଆକ୍ରମଣ ଷଡ଼ଯନ୍ତ୍ର ରଚିଥିବା ଆତଙ୍କବାଦୀଙ୍କ ଯୋଜନାକୁ ପଣ୍ଡ କରିଦେଇଛନ୍ତି ସୁରକ୍ଷାକର୍ମୀ। ନଗରୋଟା ଜାତୀୟ ରାଜପଥ ବନ୍‌ ଟୋଲ ପ୍ଲାଜାଠାରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୩ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏଥିସହ ତାଙ୍କଠାରୁ ବିପୁଳ ମାତ୍ରାରେ ମାରଣାସ୍ତ୍ର ଜବତ କରାଯାଇଛି। ସୂଚନାଯୋଗ୍ୟ, ଶୁକ୍ରବାର ସକାଳେ ଜମ୍ମୁ-ଶ୍ରୀନଗର ନଗରୋଟା ଜାତୀୟ ରାଜପଥରେ ଶ୍ରୀନଗର ଅଭିମୁଖେ ଯାଉଥିବା ଏକ ଟ୍ରକ୍‌କୁ ପୋଲିସ ବନ୍‌ ଟୋଲ ପ୍ଲାଜାଠାରେ ଅଟକାଇଥିଲା। ଏହାପରେ ଟ୍ରକ୍‌ ଭିତରେ ସେନା ପୋଷାକରେ ଲୁଚିରହିଥିବା ଆତଙ୍କବାଦୀ ପୋଲିସ ଉପରକୁ ଅତର୍କିତ ଆକ୍ରମଣ କରିଥିଲେ। ଏହାର ପାଲଟା ଜବାବରେ ପୋଲିସ ମଧ୍ୟ ସେମାନଙ୍କ ଉପରକୁ ଗୁଳିଚାଳନା କରିଥିଲା। ଏହି ଗୁଳିବିନିମୟରେ ପୂର୍ବରୁ ଜଣେ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ଆଉ ୩ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହି ଗୁଳିବିନିମୟରେ ଜଣେ ପୋଲିସକର୍ମୀ ଆହତ ହୋଇଥିବା ସୂଚନା ମିଳିଛି। ଅପରପକ୍ଷେ ଅଧିକ ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହରେ ସ୍ଥାନୀୟ ଅଞ୍ଚଳକୁ ଘେରାବନ୍ଦି କରାଯାଇ ସର୍ଚ୍ଚ ଅପରେଶନ୍‌ ଜାରି ରହିଛି। ଏଥିସହ ଜମ୍ମୁ-କଶ୍ମୀର ହାଇଓ୍ବେ ଉପରେ ଏବେ ବି ଗାଡିମଟର ଚଳାଚଳକୁ ବନ୍ଦ ରଖାଯାଇଥିବା ନେଇ ଜମ୍ମୁ-କଶ୍ମୀର ଆଇଜି ସୂଚନା ଦେଇଛନ୍ତି।

Share