Categories: ଜାତୀୟ

ଜମ୍ମୁ-କଶ୍ମୀରରେ ସେନା ଅପରେଶନ: ଯବାନ ଶହୀଦ, ୬ ଆତଙ୍କବାଦୀ ନିହତ

ଜମ୍ମୁ,୨୯ା୯(ପି.ଟି.): ଜମ୍ମୁ-କଶ୍ମୀରର ଦୁଇଟି ସ୍ଥାନରେ ଶନିବାର ଏନ୍‌କାଉଣ୍ଟର କରାଯାଇଛି। ଏଥିରେ ମୋଟ ୬ ଆତଙ୍କବାଦୀ ନିହତ ହୋଇଛନ୍ତି। କିସ୍ତଓ୍ବାର ନିକଟ ବାଟୋଟେ ଅଞ୍ଚଳରେ ସେନାର ଦୀର୍ଘ ୯ ଘଣ୍ଟା ଅପରେଶନ ପରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି। ଏଥିସହ ଜଣେ ଯବାନ ଶହୀଦ ହୋଇଥିବା ଜଣାପଡ଼ିଛି। ନିହତ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ହିଜବୁଲ ମୁଜାହିଦ୍ଦିନ କମାଣ୍ଡର। ଓସାମା ନାମକ ଏହି ହିଜବୁଲ ଆତଙ୍କବାଦୀ ରାଜନେତାମାନଙ୍କୁ ଟାର୍ଗେଟ କରି ମାରୁଥିଲା ବୋଲି ଜଣାପଡ଼ିଛି। ଅନେକ ଭାଜପା, ଆର୍‌ଏସ୍‌ଏସ୍‌ ନେତା ତାଙ୍କ ଟାର୍ଗେଟରେ ଥିଲେ। ଅନ୍ୟ ୨ ନିହତ ଆତଙ୍କବାଦୀ ହେଲେ ଜାହିଦ୍‌ ଓ ଫାରୁକ୍‌।
ଅନ୍ୟପକ୍ଷରେ ଗନ୍ଦରର୍ବାଲ ଅଞ୍ଚଳର ନରନାଗ ଗ୍ରାମରେ ସେନା ଏନ୍‌କାଉଣ୍ଟରରେ ପୁଣି ୩ ଆତଙ୍କବାଦୀ ନିହତ ହୋଇଛନ୍ତି। ସେମାନଙ୍କଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିବା ସେନା ମୁଖପାତ୍ର ପ୍ରକାଶ କରିଛନ୍ତି। ଏକ ଘରେ ଲୁଚିଥିବା ଏହି ଆତଙ୍କବାଦୀଙ୍କୁ ସେନା ପକ୍ଷରୁ ଘେରାବନ୍ଦୀ କରାଯାଇଥିଲା। ଆତଙ୍କବାଦୀମାନେ ପ୍ରଥମେ ସେନା ଉପରକୁ ଗୁଳିମାଡ଼ କରିବା ପରେ ଏହାର କଡ଼ା ଜବାବ୍‌ ଦିଆଯାଇଥିଲା। ଘର ମାଲିକ ଓ ପରିବାରବର୍ଗଙ୍କୁ ସେନା ପକ୍ଷରୁ ସୁରକ୍ଷାର ସହ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି। ସେନା କାର୍ଯ୍ୟାନୁଷ୍ଠାନ ଲାଗି ସୁରକ୍ଷା ଦୃଷ୍ଟିରୁ କେତେକ ରାସ୍ତାରେ ଯାତାୟାତ ବନ୍ଦ ରହିଥିଲା। ଖସିବାକୁ ଉଦ୍ୟମ କରୁଥିବାବେଳେ ଆତଙ୍କବାଦୀମାନେ ଯବାନଙ୍କ ଗୁଳିର ଶିକାର ହୋଇଥିଲେ ବୋଲି ସେନା ଅଧିକାରୀ ଦେବେନ୍ଦ୍ର ଆନନ୍ଦ ପ୍ରକାଶ କରିଛନ୍ତି। ଏବେ ବି ସମ୍ପୃକ୍ତ ଅଞ୍ଚଳରେ ସେନାର ତଲାସି ଅଭିଯାନ ଜାରି ରହିଥିବା ସେ କହିଛନ୍ତି। ଶନିବାର ସକାଳେ ଏକ ଗାଡ଼ିକୁ ୨ ସନ୍ଦିଗ୍ଧ ଅଟକାଇବାକୁ ଚେଷ୍ଟାକରି ବିଫଳ ହୋଇଥିଲେ। ଗାଡ଼ି ଡ୍ରାଇଭର ସେନା ପୋଷ୍ଟକୁ ଏନେଇ ଅବଗତ କରାଇବା ପରେ ସର୍ଚ୍ଚ ଅପରେଶନ ଆରମ୍ଭ ହୋଇଥିଲା।

Share