Categories: ବାଣିଜ୍ୟ

ଜମ୍ମୁ-କଶ୍ମୀରରେ ହେବ ନିଯୁକ୍ତି ବର୍ଷା;ସରକାରଙ୍କୁ ସମର୍ଥନ ଜଣାଇଲା ସିଆଇଆଇ

ନୂଆଦିଲ୍ଲୀ,୧୦-୮: ଦେଶର ଉଦ୍ୟୋଗ ସଂଗଠନ କନ୍‌ଫେଡେରେଶନ ଅଫ୍‌ ଇଣ୍ଡିଆନ ଇଣ୍ଡଷ୍ଟ୍ରି(ସିଆଇଆଇ) ଜମ୍ମୁ-କଶ୍ମୀରରେ ନିବେଶ ଲାଗି କେନ୍ଦ୍ର ସରକାରଙ୍କ ପ୍ରୟାସକୁ ସମର୍ଥନ ଜଣାଇଛି। ଶୁକ୍ରବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ଙ୍କ ସହ ସିଆଇଆଇ ପ୍ରତିନିଧିଙ୍କ ବୈଠକରେ ଏ ସମ୍ପର୍କରେ ମତପ୍ରକାଶ ପାଇଛି। ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ପ୍ରତ୍ୟାହାର ପରେ ଦୁଇଟି କେନ୍ଦ୍ରଶାସିତ ପ୍ରଦେଶରେ ଶିଳ୍ପ ପ୍ରତିଷ୍ଠା ଜରିଆରେ ସ୍ଥାନୀୟ ଯୁବତୀଯୁବକଙ୍କୁ ଅଧିକ ନିଯୁକ୍ତି ଦେବାକୁ କେନ୍ଦ୍ର ସରକାର ବିଚାର କରୁଛନ୍ତି। କୋଟାକ ମହିନ୍ଦ୍ରା ବ୍ୟାଙ୍କ ଏମ୍‌ଡି ତଥା ସିଇଓ ଏବଂ ସିଆଇଆଇର ମନୋନୀତ ପ୍ରେସିଡେଣ୍ଟ ଉଦୟ କୋଟାକ କହିଛନ୍ତି ଯେ, ଜମ୍ମୁ-କଶ୍ମୀରର ପ୍ରତ୍ୟେକ କ୍ଷେତ୍ରରେ ନିବେଶ ବୃଦ୍ଧି କରିବାକୁ ପ୍ରୟାସ ହେବ। ଅନ୍ୟପକ୍ଷରେ ଅର୍ଥମନ୍ତ୍ରୀ ସୀତାରାମନଙ୍କ ସହ ସିଆଇଆଇ ନ୍ୟାଶନାଲ କାଉନସିଲର ଆଲୋଚନା ଶେଷ ପରେ ମେଦାନ୍ତ ଗ୍ରୁପ୍‌ ଅଧ୍ୟକ୍ଷ ନରେଶ ତ୍ରେହନ କହିଛନ୍ତି ଯେ, ଆଗାମୀ ଦିନରେ ଜମ୍ମୁ-କଶ୍ମୀରରେ ଉନ୍ନତ ସ୍ବାସ୍ଥ୍ୟ ସେବା ଦେଖିବାକୁ ମିଳିବ। ହେଲଥକେୟାର ସେକ୍ଟରରେ ଭାରି ମାତ୍ରାରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଉପତ୍ୟକାରେ ୨ ହଜାର ଶଯ୍ୟାବିଶିଷ୍ଟ ହସ୍ପିଟାଲ ପ୍ରତିଷ୍ଠା ହେଲେ ତୁରନ୍ତ ୩୪ ହଜାର ଲୋକଙ୍କୁ ନିଯୁକ୍ତି ମିଳିଯିବ।

Share