Categories: ଜାତୀୟ

ଜମ୍ମୁ-କଶ୍ମୀର ଖବରଦାତାଙ୍କ ଉପରେ କଟକଣା: କେନ୍ଦ୍ର,ରାଜ୍ୟକୁ ସୁପ୍ରିମକୋର୍ଟ ନୋଟିସ

ନୂଆଦିଲ୍ଲୀ,୨୯ା୮(ପି.ଟି.): ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଜମ୍ମୁ-କଶ୍ମୀରର ଖବରଦାତାମାନଙ୍କ ଯୋଗାଯୋଗ ମାଧ୍ୟମକୁ ବନ୍ଦ କରାଯିବା ସମେତ ସେମାନଙ୍କ ଉପରେ ଲାଗୁ ହୋଇଥିବା କଟକଣା ଉଠାଇଦେବା ପାଇଁ ସୁପ୍ରିମକୋର୍ଟରେ ପିଟିଶନ ଦାଏର ହୋଇଥିଲା। ସୁପ୍ରିମକୋର୍ଟ ବୁଧବାର କେନ୍ଦ୍ର ସରକାର ଓ ରାଜ୍ୟ ପ୍ରଶାସନକୁ ନୋଟିସ ଜାରି କରି ଏହା ଉପରେ ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। କଶ୍ମୀର ଟାଇମ୍ସର କାର୍ଯ୍ୟନିର୍ବାହୀ ସମ୍ପାଦକ ଅନୁରାଧା ଭାସିନ୍‌ ଏବଂ କଂଗ୍ରେସ କର୍ମୀ ତେହସିନ୍‌ ପୁନାଓ୍ବାଲାଙ୍କ ପକ୍ଷରୁ ଏହି ପିଟିଶନ ଦାଏର ହୋଇଥିଲା। ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ, ଜଷ୍ଟିସ ଏସ୍‌.ଏ. ବୋବ୍‌ଡେ ଏବଂ ଏସ୍‌.ଏ. ନାଜିରଙ୍କୁ ନେଇ ଗଠିତ ଖଣ୍ଡପୀଠ ସପ୍ତାହେ ପରେ ମାମଲାର ଶୁଣାଣି କରିବେ।
ଭାସିନ୍‌ଙ୍କ ପକ୍ଷରୁ ଆଇନଜୀବୀ ବ୍ରିନ୍ଦା ଗୋଭର କୋର୍ଟଙ୍କୁ କହିଥିଲେ, ସରକାର କଟକଣା ଲାଗୁ କରିଥିବାରୁ ୨୪ ଦିନ ହେଲା ଗଣମାଧ୍ୟମ ପାଖରେ କୌଣସି ତଥ୍ୟ ପହଞ୍ଚତ୍ପାରୁନାହିଁ। ରାଜ୍ୟର ମୋବାଇଲ, ଇଣ୍ଟରନେଟ, ଲ୍ୟାଣ୍ଡଲାଇନ ସେବା ସମେତ ସମସ୍ତ ଯୋଗାଯୋଗ ମାଧ୍ୟମ ଉପରୁ କଟକଣା ତୁରନ୍ତ ହଟାଇ ଗଣମାଧ୍ୟମକୁ କାର୍ଯ୍ୟ କରିବା ଲାଗି ଉପଯୁକ୍ତ ପରିବେଶ ଯୋଗାଇଦେବାକୁ ଭାସିନ କୋର୍ଟଙ୍କୁ ଅନୁରୋଧ କରିଥିଲେ। କଶ୍ମୀର ଓ ଜମ୍ମୁର କେତେକ ଜିଲାରେ ଖବରଦାତାମାନଙ୍କ ଯାତାୟାତ ଉପରୁ କଟକଣା ଉଠାଇଦେବାକୁ କେନ୍ଦ୍ର ସରକାର ଓ ରାଜ୍ୟ ପ୍ରଶାସନକୁ ନିର୍ଦ୍ଦେଶ ଦେବା ଲାଗି କଶ୍ମୀର ଟାଇମ୍ସର ସମ୍ପାଦକ ନିବେଦନ କରିଥିଲେ। ସେହିପରି କର୍ଫ୍ୟୁ ଓ ଯୋଗାଯୋଗ ମାଧ୍ୟମ ଉପରୁ କଟକଣା ହଟାଇବା ପାଇଁ ପୁନାଓ୍ବାଲାଙ୍କ ଓକିଲ ଅଦାଲତଙ୍କୁ ଅନୁରୋଧ କରିଥିଲେ।

Share