Categories: ଜାତୀୟ

ଜମ୍ମୁ-କଶ୍ମୀର ପ୍ରଶାସନକୁ ନୋଟିସ

ନୂଆଦିଲ୍ଲୀ,୧୫ା୨(ପି.ଟି.): ନ୍ୟାଶନାଲ କନ୍‌ଫରେନ୍ସ ନେତା ତଥା ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବ୍‌ଦୁଲ୍ଲାଙ୍କୁ ସାଧାରଣ ନିରାପତ୍ତା ଆଇନ (ପିଏସ୍‌ଏ)ରେ ଅଟକ ରଖାଯାଇଥିବାରୁ ତାଙ୍କ ଭଉଣୀ ସାରା ଅବ୍‌ଦୁଲ୍ଲା ପାଇଲଟ ଏହାକୁ ସୁପ୍ରିମକୋର୍ଟରେ ଚାଲେଞ୍ଜ କରିଥିଲେ। ଜଷ୍ଟିସ ଅରୁଣ ମିଶ୍ର ଓ ଇନ୍ଦିରା ବାନାର୍ଜୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁକ୍ରବାର ପିଟିଶନର ଶୁଣାଣି କରି ଜମ୍ମୁ-କଶ୍ମୀର ପ୍ରଶାସନକୁ ଜବାବ ରଖିବା ଲାଗି ନୋଟିସ ଜାରି କରିଛନ୍ତି। ମାର୍ଚ୍ଚ ୨ରେ ପିଟିଶନର ପରବର୍ତ୍ତୀ ଶୁଣାଣି ହେବ। ସାରାଙ୍କ ତରଫରୁ ବରିଷ୍ଠ ଆଇନଜୀବୀ କପିଲ ଶିବଲ କୋର୍ଟରେ ହାଜର ହୋଇଥିଲେ। ପିଏସ୍‌ଏରେ ତାଙ୍କ ଭାଇଙ୍କୁ ଅଟକ ରଖାଯିବା ସମ୍ପୂର୍ଣ୍ଣ ବେଆଇନ ବୋଲି ସାରା ସର୍ବୋଚ୍ଚ ଅଦାଲତଙ୍କୁ ଜଣାଇଥିଲେ। ଓମାରଙ୍କ ପରିବାର ତରଫରୁ ଜମ୍ମୁ-କଶ୍ମୀର ହାଇକୋର୍ଟରେ କୌଣସି ପିଟିଶନ ଥିଲା କି ବୋଲି ଖଣ୍ଡପୀଠ ପ୍ରଶ୍ନ କରିବାରୁ ସେପରି କୌଣସି ଆବେଦନ ହୋଇ ନ ଥିବା ଶିବଲ ଜଣାଇଥିଲେ। ଏହା ପରେ ମାର୍ଚ୍ଚ ୨ ସୁଦ୍ଧା ଜବାବ ଦାଖଲ କରିବାକୁ ଖଣ୍ଡପୀଠ ଜମ୍ମୁ-କଶ୍ମୀର ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ।

Share