ଜରାଜୀର୍ଣ୍ଣ ଅବସ୍ଥାରେ ସଙ୍ଗମ କୃଷି ଫାର୍ମ

ହାଟଡିହୀ, ୮ା୧(ଡି.ଏନ.ଏ.)-କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ଢେଙ୍କା ପଞ୍ଚାୟତର ସଙ୍ଗମ କୃଷି ଫାର୍ମଟି ଏବେ ଅବ୍ୟବସ୍ଥାରେ ପଡ଼ିଥିବା ଯୋଗୁ ସରକାରଙ୍କର ଉଦ୍ଦେଶ୍ୟ ସଫଳ ହୋଇପାରିନି। ଜରାଜୀର୍ଣ୍ଣ ଅବସ୍ଥାରେ ଗୃହ ଗୁଡ଼ିକ ପଡ଼ିଥିବାବେଳେ ଫାର୍ମର ପରିବେଶଟି ଅସ୍ବାସ୍ଥ୍ୟକର ହୋଇପଡ଼ିଛି। ଅଳିଆ ଆବର୍ଜନା, ଲତା, ବୁଦା ଓ ସରୀସୃପଙ୍କର ଆଡ଼ାସ୍ଥଳୀ । ଫାର୍ମଟି ୨୪ ଏକର ଏରିଆ ଭିତରେ ଥିବା ବେଳେ ଧାନ ଚାଷ ଜମି ୨୪ ଏକର ରହିଛି। ଏହା ସବୁଠାରୁ ବଡ଼ ଫାର୍ମ ହୋଇଥିଲେ ମଧ୍ୟ କୃଷି ବିଭାଗର ଅଧିକାରୀ ମାନଙ୍କର ଅଣଦେଖା ପାଇଁ ଫାର୍ମଟି ଶ୍ରୀହୀନ ହୋଇପଡ଼ିଛି। ଫାର୍ମ ଭିତରେ ୬ଶହରୁ ଊର୍ଦ୍ଧ୍ୱ ଆମ୍ବ ଗଛ, ପଟାସ, ଶାଗୁଆନ, ପିଜୁଳି ଇତ୍ୟାଦି ଗଛ ରହିଥିଲେ ମଧ୍ୟ ତାର ସୁରକ୍ଷା ବାଡ଼ା ନ ଥିବାରୁ ତାହା ଏବେ ଧ୍ୱଂସ ହେବାକୁ ବସିଛି। ଗୋରୁଗାଈ ଓ ଅସାମାଜିକ ବ୍ୟକ୍ତି ଅବାଧରେ ପ୍ରବେଶ କରୁଛନ୍ତି। ଫାର୍ମରେ ଥିବା ବିଭିନ୍ନ ସାମଗ୍ରୀଠାରୁ ଆରମ୍ଭ କରି ଗଛରେ ଥିବା ବିଭିନ୍ନ ଫଳ ଚୋରି କରିନେଇଥାନ୍ତି। ରକ୍ଷଣାବେକ୍ଷଣ ଅଭାବରୁ ଘର ଓ କାର୍ଯ୍ୟାଳୟ ଗୁଡ଼ିକ ଅସୁରକ୍ଷିତ ହୋଇପଡ଼ିଛି। ଜଣେ ଯନ୍ତ୍ରୀ ନିଯୁକ୍ତି ହୋଇଥିଲେ ମଧ୍ୟ ସେ ଫାର୍ମକୁ ତାଙ୍କ ଇଚ୍ଛାରେ ଯାତାୟତ କରିଥାନ୍ତି। କୌଣସି କର୍ମଚାରୀ ସେଠାରେ ରୁହନ୍ତି ନାହିଁ। ଏହି ଫାର୍ମଟି ଚାଷର ପ୍ରୟୋଗ ଶାଳା କୁହାଯାଉଥିବା ବେଳେ ଏହାର ଏଭଳି ଦୟନୀୟ ଓ ଅସହାୟ ଅବସ୍ଥାକୁ ନେଇ ଚାଷୀ ଚିନ୍ତିତ ହୋଇପଡ଼ିଛନ୍ତି। ଯେଉଁ ଫାର୍ମର ଧାନ ଚାଷକୁ ଦେଖି ଚାଷୀଙ୍କ ମଧ୍ୟରେ ପ୍ରତିଯୋଗିତା କରି ଉତ୍ସାହ ସୃଷ୍ଟି ହେବା ପ୍ରତିବଦଳରେ ତାହା ପ୍ରତିବନ୍ଧକ ସୃଷ୍ଟି କରିବ ବୋଲି କୁହାଯାଉଛି। ଏ ସମ୍ପର୍କରେ ଫାର୍ମ କୃଷି ସହ ଅଧିକାରୀ ମନମୋହନ ଜେନାଙ୍କୁ ପଚାରିବାରୁ ଫାର୍ମରେ ସ୍ଥାୟୀ ଶ୍ରମିକ ନାହାନ୍ତି। ଏସମ୍ପର୍କରେ ବହୁବାର ବିଭାଗ ଅଧିକାରୀଙ୍କୁ ଜଣାଯାଇଛି। ୨୪ ଏକର ଫାର୍ମଟିକୁ ଗଛ ଲଟା କାଟି ସଫା କରିବାକୁ ଅନୁଦାନ ରାଶି ମିଳୁନାହିଁ। ସରକାରଙ୍କ ପକ୍ଷରୁ ଘର ମରାମତି ଓ ରକ୍ଷଣାବେକ୍ଷଣ କରାଯାଉନାହିଁ ମୁଁ କଣ କରିପାରିବି ବୋଲି ସେ ତାଙ୍କ ପ୍ରତିକ୍ରିୟାରେ କହିଥିଲେ।

Share