ଜରିମାନା ଆଦାୟକୁ ଗୋପାଳକଙ୍କ ବିରୋଧ: କମିଶନରଙ୍କୁ ଦାବିପତ୍ର ପ୍ରଦାନ

ବ୍ରହ୍ମପୁର ଅଫିସ,୩୦।୭: ରାସ୍ତାରେ ଏଣେତେଣ ବୁଲି ଟ୍ରାଫିକ ସମସ୍ୟା ସୃଷ୍ଟି କରୁଥିବା ଗାଈ, ଗୋରୁ ଏବଂ ମଇଁଷି ମାଲିକଙ୍କଠାରୁ ଜରିମାନା ଆଦାୟ ପାଇଁ ବ୍ରହ୍ମପୁର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।
ଅନ୍ୟପକ୍ଷେ ଜରିମାନା ଆଦାୟକୁ ବିରୋଧ କରି ମଙ୍ଗଳବାର ଗୋପାଳକମାନଙ୍କ ପକ୍ଷରୁ ବିଏମ୍‌ସି କମିଶନରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ପ୍ରତ୍ୟେକ ୱାର୍ଡ଼ରେ ବିଏମ୍‌ସି ପକ୍ଷରୁ ଗୋଶାଳା ନିର୍ମାଣ କରିବାକୁ ଦାବି କରିଛନ୍ତି। ବିଏମ୍‌ସି ପ୍ରଥମେ ଗୋଶାଳା ନିର୍ମାଣ କରୁ, ତା’ ପରେ ଜରିମାନା ଆଦାୟ କରୁ ବୋଲି ଗୋପାଳକମାନେ କହିଛନ୍ତି । ଦାବିପତ୍ର ଗ୍ରହଣ କରିବା ପରେ ବିଏମ୍‌ସି କମିଶନର ଚକ୍ରବର୍ତ୍ତି ସିଂ ରାଠୋର୍‌ ଗୋପାଳକଙ୍କ ସହ ଆଲୋଚନା କରି ଦାବି ସଂପର୍କରେ ବିଚାର କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏଥିରେ ମହାନଗର ନିଗମ ଗୋପାଳକ ସଂଘର ସଭାପତି ସୂର୍ଯ୍ୟପ୍ରକାଶଙ୍କ ସମେତ ବହୁ ଗୋପାଳକ ସାମିଲ ହୋଇଥିଲେ ।
ସୂଚନାଯୋଗ୍ୟ, ଗତ ଜୁଲାଇ ୧ ତାରିଖରୁ ପଶୁମାନଙ୍କ ଟ୍ୟାଗିଂ ଆରମ୍ଭ ହୋଇଛି । ଏଥିରେ ପ୍ରତ୍ୟେକ ପଶୁକୁ ଏକ ସ୍ବତନ୍ତ୍ର ନମ୍ବର ଦ୍ୱାରା ଚିହ୍ନଟ କରାଯାଇଛି। ଫଳରେ ଏଥିରୁ ରାସ୍ତାରେ ବୁଲୁଥିବା ପଶୁ ମାଲିକଙ୍କ ଠିକଣା ମିଳିପାରିବ ଏବଂ ଜରିମାନା ଆଦାୟ କରାଯାଇପାରିବ । ବର୍ତ୍ତମାନ ସୁଦ୍ଧା ୩୦ଟି ୱାର୍ଡ଼ରେ ଟ୍ୟାଗିଂ ଶେଷ ହୋଇଛି ।