ଜରିମାନା ଆଦାୟ ବେଳେ ଯୁବକଙ୍କ ଉନ୍ମତ୍ତକାଣ୍ଡ

ବାହାନଗା, ୧୨ା୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ ଗୋପାଳପୁର ବଜାରରେ ସୋମବାର ନିୟମ ଊଲ୍ଲଂଘନକାରୀଙ୍କଠାରୁ ଜରିମାନା ଆଦାୟ ବେଳେ ଜଣେ ଅମାନିଆ ଯୁବକଙ୍କ ଉନ୍ମତ୍ତକାଣ୍ଡ ଦେଖିବାକୁ ମିଳିଛି। ତହସିଲଦାରଙ୍କ ଡ୍ରାଇଭରଙ୍କୁ ଟେକି ନେଇ ଯୁବକଜଣକ ହଡରଘଣାରେ ପଡିଥିଲେ। ଜରିମାନା ଓ ଭୁଲ ମାଗିବା ପରେ ସନ୍ଧ୍ୟାରେ ତହସିଲଦାରଙ୍କ ମାନବିକତା ପାଇଁ ଥାନାରୁ ଛାଡ ପାଇଥିଲେ ା
ସାରା ଦେଶରେ କୋଭିଡି-୧୯ ନିମନ୍ତେ ଲକ୍‌ଡାଉନ୍‌ ଚାଲିଥିବା ବେଳେ ସରକାରଙ୍କ ନିଷ୍ପତ୍ତି ଯୋଗୁ ନିର୍ଦ୍ଦିଷ୍ଟ କିଛି ଦୋକାନ ନିର୍ଦ୍ଧାରିତ ସମୟ ମଧ୍ୟରେ ଖୋଲାଯାଉଛି। କାମ ନ ଥିଲେ ବଜାରକୁ ଆସିବା ମନା, ମୋଟରସାଇକେଲ ଯୋଗେ ଦୁଇଜଣ ବସି ବଜାରକୁ ଆସିପାରିବେ ନାହିଁ, ମୁହଁରେ ମାକ୍ସ ନ ଲଗାଇ ବାହାରକୁ ଆସିଲେ ଜରିମାନା ଦେବାକୁ ପଡିବ ବୋଲି ପ୍ରଶାସନ କଟକଣା ଜାରି କରିଛି ା ତେବେ ବାହାନଗା ବ୍ଲକ ଅଞ୍ଚଳର କେତେକ ସ୍ଥାନରେ ଲୋକମାନେ ନିୟମ ଊଲ୍ଲଘଂନ କରି ବଜାରରେ ବୁଲାବୁଲି କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ବାହାନଗା ତହସିଲ ପକ୍ଷରୁ ରବିବାରଠାରୁ ଅମାନିଆଙ୍କ ପାଇଁ ଯାଞ୍ଚ କଡାକଡି କରାଯାଇ ଜରିମାନା ଆଦାୟ ହେଉଛି ା ସୋମବାର ଷଠୀସ୍ଥିତ ପୁରାଣ ଗ୍ରାମର ୨ଜଣ ଯୁବକ ଗୋଟିଏ ମୋଟରସାଇକେଲ ଯୋଗେ ଗୋପାଳପୁର ବଜାରକୁ ଆସୁଥିଲେ। ସେମାନଙ୍କୁ ବାହାନଗା ତହସିଲଦାର ଓ ପୋଲିସ୍‌ କର୍ମଚାରୀମାନେ ଅଟକାଇବା ସହିତ କଥାବାର୍ତ୍ତା କରୁଥିବା ବେଳେ ଯୁବକଜଣକ ଗାଡି ଷ୍ଟାଟ କରି ପଳାଉଥିଲେ। ତହସିଲଦାରଙ୍କ ଡ୍ରାଇଭର ମୋଟରସାଇକେଲରୁ ଚାବି କାଢି ଆଣି ଜଣେ ପୋଲିସ୍‌ କର୍ମଚାରୀଙ୍କୁ ଦେଇଥିଲେ। ଏଥିରେ ଯୁବକଜଣକ ଉତ୍ତ୍ୟକ୍ତ ହୋଇ ଗଣ୍ଡଗୋଳ କରିବା ସହିତ ଘଟଣାସ୍ଥଳରୁ ତହସିଲଦାରଙ୍କ ଗାଡି ଡ୍ରାଇଭରଙ୍କୁ ଟେକିନେଇ ବହୁ ଦୂରକୁ ପଳାଉଥିଲେ। ଅନ୍ୟ ପୋଲିସ୍‌ ଖବରପାଇ ଯୁବକଙ୍କଠାରୁ ଡ୍ରାଇଭରଙ୍କୁ ଉଦ୍ଧାର କରିଥିଲେ। ଯୁବକଙ୍କୁ ଗୋପାଳପୁର ଫାଣ୍ଡିରେ ଅଟକ ରଖାଯାଇଥିଲା। ପରେ ତହସିଲଦାର ରାଜେନ୍ଦ୍ର ନାରାୟଣ କର ଖନ୍ତାପଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ପରେ ଯୁବକଙ୍କୁ ବୁଝାଇବାରୁ ସେ ନିଜର ଭୁଲ ବୁଝିପାରି କ୍ଷମା ମାଗିଥିଲେ। ଫଳରେ ତହସିଲଦାର ମାନବିକତା ଦେଖାଇ ଯୁବକଙ୍କୁ କ୍ଷମା କରିଦେଇଥିଲେ ା ରବିବାର ଓ ସୋମବାର ଦୁଇଦିନ ବାହାନଗା ବ୍ଲକ ଗୋପାଳପୁର ଓ ଖନ୍ତାପଡା ବଜାରରୁ ୧୦ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଜରିମାନା ଆଦାୟ କରାଯାଇଛି।

Share