ପାଟନା: ମୋଟର ଯାନ ଆଇନ ସେପ୍ଟେମ୍ବର ୧ରୁ ସାରା ଦେଶରେ ଲାଗୁ ହେବା ପରେ ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କ ଉପରେ ଯେଭଳି ଜରିମାନା କରାଯାଉଛି ତାହା ଭାବିହେଉନି। ଅତ୍ୟଧିକ ଜରିମାନାକୁ ନେଇ କେତେକ ରାଜ୍ୟ ଏହାକୁ ଲାଗୁ କରିବା ନିର୍ଦ୍ଦେଶକୁ ଫେରାଇନେବା ଓ କିଛି ରାଜ୍ୟ ଏହା ଉପରେ ବିଚାର କରୁଥିବାବେଳେ ବିହାର ଆଉ ପାଦେ ଆଗେଇଯାଇଛି। କଥାରେ କହନ୍ତି ପୋଲିସ ଯଦି ଚୋରି କରିବ ତାକୁ ଧରିବ କିଏ। କିନ୍ତୁ ଏବେ ବିହାରରେ ପୋଲିସକୁ ପୋଲିସ ଧରିବ। ସେଠାରେ ଲୋକମାନେ ଜରିମାନ ଦେଉଛନ୍ତି , ପୋଲିସ ଆଦାୟ କରୁଛନ୍ତି। ଏହି ଆଳରେ ସେମାନେ ଯଦି ଜରିମାନା ଜାଲରେ ପଡୁଛନ୍ତି ପଦ ଉପଯୋଗ କରି ଖସିଯାଉଛନ୍ତି। କିନ୍ତୁ ଏବେ ଖସିବାର ବାଟ ପୂରା ବନ୍ଦ। ପୋଲିସ ନିୟମ ଫାଶରେ ଛନ୍ଦି ହୋଇଯାଇଛିି । ଟ୍ରାଫିକ ନିୟମ ଭଙ୍ଗ କଲେ ସେମାନେ ଜରିମାନା ଦେବେ, ତାହା ପୁଣି ଧାର୍ଯ୍ୟ ରାଶିର ଦୁଇଗୁଣ ଗଣିବେ। ବିହାର ପୋଲିସ ପରିବହନ ମୁଖ୍ୟାଳୟ ପକ୍ଷରୁ ଏଭଳି ନିର୍ଦ୍ଦେଶ ଜାରି କରାଯାଇଛି। ଟ୍ରାଫିକ ନିୟମ ସମସ୍ତଙ୍କ ଲାଗି ଲାଗୁ ହୋଇଛି ଓ ତାହାକୁ ଭଙ୍ଗ କଲେ କେହି ବି ସେଥିରୁ ଖସି ଯାଇପାରିବେନାହିଁ । ଏବେ ପୋଲିସ ପଦ ଆଉ କାମ କରିବନାହିଁ, ଜରିମାନା ଦେବାକୁ ହିଁ ପଡିବ। ଜରିମାନା ସେମାନଙ୍କ ଦରମାରୁ କଟିବ ବୋଲି ନିର୍ଦ୍ଦେଶରେ କୁହାଯାଇଛି।