ଜରି ତଳେ ଜୀବନ

ଜଳେଶ୍ୱର, ୫।୧୧(ରବି ନାରାୟଣ ପାତ୍ର)-ଆର୍ଥିକ ଅନଗ୍ରସର ଲୋକଙ୍କୁ ସୁବିଧା ସୁଯୋଗ ଯୋଗାଇ ଦେବା ଲାଗି କେନ୍ଦ୍ର ସରକାରଙ୍କଠାରୁ ଆରମ୍ଭ କରି ରାଜ୍ୟ ସରକାର ବିଭିନ୍ନ ପ୍ରକାର ଯୋଜନା ପ୍ରଣୟନ କରୁଛନ୍ତି। ହେଲେ ସମସ୍ତଙ୍କ ନିକଟରେ ତାହା ପହଞ୍ଚିପାରୁନାହିଁ।
ଏପରି କି ମୁଣ୍ଡ ଗୁଞ୍ଜିବାକୁ ଭୂମି କିମ୍ବା ଘରଟିଏ ନ ଥିବାରୁ ଅନେକେ ଦୁର୍ଦ୍ଦିନରେ ଜୀବନ ବିତାଉଛନ୍ତି। ଜଳେଶ୍ୱର ପୌରପରିଷଦ ଅଞ୍ଚଳର ୧୦ନଂ ୱାର୍ଡ଼ ଶାନ୍ତିଆଠାରେ ରହୁଥିବା ଦେବୁ ଦାସ (୫୨) ଏହାର ଉଦାହରଣ।
୧୯୯୯ରେ ପଶ୍ଚିମବଙ୍ଗର ମେଦିନୀପୁର ହଳିଦିଆ ଅଞ୍ଚଳ ବସନ୍ତପୁର ଗାଁର ଦେବୁ ଦାସଙ୍କର ପୈତୃକ ସମ୍ପତ୍ତି ନ ଥିବାରୁ ସେ ଗାଁ ଛାଡ଼ି କାମ ଅନ୍ବେଷଣରେ ସ୍ତ୍ରୀଙ୍କ ସହିତ ଜଳେଶ୍ୱର ଷ୍ଟେଶନରେ ପହଞ୍ଚିଥିଲେ। ପରବର୍ତ୍ତୀ ସମୟରେ ନିକଟସ୍ଥ ଗ୍ରାମରେ ଦିନ ମଜୁରିଆ ଭାବେ କାମ କରିବା ସହିତ ଗ୍ରାମର ବିଭିନ୍ନ ଲୋକଙ୍କ ପିଣ୍ଡାରେ ରାତି କଟାଉଥିଲେ। ତାଙ୍କର ଏକ ପୁତ୍ର ସନ୍ତାନ ହେବା ପରେ ବହୁ ଚେଷ୍ଟା ଓ କେତେକ ସମାଜସେବୀଙ୍କ ସହାୟତାରେ ସେ ଭୋଟରକାର୍ଡ, ଆଧାରକାର୍ଡ ଓ ରାଶନକାର୍ଡ ପାଇ ରାଶନ୍‌ ସାମଗ୍ରୀ ପାଉଛନ୍ତି। ଗ୍ରାମର ଲୋକମାନଙ୍କ ସହମତି ଓ ସହାୟତାରେ ସେ ୩ବର୍ଷ ଧରି ଅନାବାଦି ଜାଗାରେ ଏକ ପଲିଥିନ ତିଆରି ଘରେ ମୁଣ୍ଡଗୁଞ୍ଜି ଆସୁଛନ୍ତି। ଜଳେଶ୍ୱର ତହସିଲ ଓ ପୌରପରିଷଦକୁ ବାରମ୍ବାର ଦୌଡ଼ି ନୟାନ୍ତ ହୋଇଥିଲେ ମଧ୍ୟ ଏଯାଏ ଭୂମିଟିଏ କିମ୍ବା ଘରଖଣ୍ଡିଏ ପାଇପାରିନାହାନ୍ତି। ସରକାରଙ୍କ ଆବାସ ଯୋଜନା ତାଙ୍କ ପାଇଁ ସାତସପନ ହୋଇଛି। ଦେବୁ ଜଣେ ଭୂମିହୀନ ଓ ଗୃହଶୂନ୍ୟ ବ୍ୟକ୍ତି ହୋଇଥିବାରୁ ସରକାରଙ୍କ ପକ୍ଷରୁ ଜମି ଓ ଗୃହର ବ୍ୟବସ୍ଥା କରାଇବାକୁ ପୂର୍ବତନ ପୌରପାଳ ବସନ୍ତ ସେନାପତି, ସମାଜସେବୀ ସୀତାଂଶୁ ସେନାପତି, ଗିରିଜା ଶଙ୍କର ଦାସ ପ୍ରମୁଖ ସ୍ଥାନୀୟ ପ୍ରଶାସନ ନିକଟରେ ଦାବି ଜଣାଇଛନ୍ତି।

Share