Categories: ଭଦ୍ରକ

ଜରି ବସ୍ତାରେ ଧାନ କିଣାକୁ ନେଇ ବିବାଦ

ପଦ୍ମପୁର,୨୦।୨(ଡି.ଏନ.ଏ.)-ଭଦ୍ରକ ଜିଲା ସଦର ବ୍ଲକ ଅଧୀନ ସାବରଙ୍ଗଠାରେ ମହିଳା ମହାସଂଘ ପକ୍ଷରୁ ଗୋରାମାଟି ଓ ସାବରଙ୍ଗ ପଞ୍ଚାୟତର ଚାଷୀଙ୍କଠାରୁ ଧାନ କିଣା ଯାଉଛି। ପ୍ରଥମରୁ ଝୋଟ ଅଖାରେ ଚାଷୀମାନଙ୍କଠାରୁ ଧାନ କିଣାଯାଇ ମିଲ୍‌କୁ ପଠାଯାଉଥିଲା। ଏବେ ସଂଘ ତରଫରୁ ଜରି ବସ୍ତାରେ ଧାନ କିଣାଯିବାକୁ ନେଇ ବିବାଦ ସୃଷ୍ଟି ହୋଇଛି। ମଙ୍ଗଳବାର ସନ୍ଧ୍ୟାରେ ଦୁଇଟି ଟ୍ରକ ଯୋଗେ ସମ୍ବଲପୁରକୁ ଜରି ବସ୍ତାରେ ଧାନ ପଠାଯିବା ପାଇଁ ବୋଝେଇ କରାଯାଉଥିବାବେଳେ ଚାଷୀମାନେ ଏହାକୁ ବିରୋଧ କରିଥିଲେ। ଫଳରେ ଧାନ ଟ୍ରକରେ ବୋଝେଇ ହୋଇ ନ ପାରି ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ରଖାଯାଇଥିଲା। ରାତିତମାମ ଧାନକୁ ଚାଷୀ ଜଗିରହିଥିବା ବେଳେ ବୁଧବାର ସୁଦ୍ଧା ଉଠାଯାଇ ପାରିନାହିଁ। ଚାଷୀମାନେ ଅପରାହ୍ନରେ ଜିଲା ଯୋଗାଣ ଅଧିକାରୀ, ଜିଲା ଆରକ୍ଷୀ ଅଧୀକ୍ଷକ ଓ ଗ୍ରାମାଞ୍ଚଳ ଥାନାଧିକାରୀଙ୍କୁ ତୁରନ୍ତ ଧାନ ଉଠାଇବା ପାଇଁ ଦାବିପତ୍ର ପ୍ରଦାନ କରଛନ୍ତି। ସେହିପରି ବ୍ରହ୍ମପୁର ସେବା ସମବାୟ ସମିତିରେ ୨ଟି ଟ୍ରକ୍‌ରେ ଜରିବସ୍ତାରେ ଧାନ ବୋଝେଇ ହେଉଥିବାବେଳେ ଚାଷୀମାନେ ଏହାକୁ ବିରୋଧ କରି ଗଣମାଧ୍ୟମ ପ୍ରତିନିଧିଙ୍କ ଦୃଷ୍ଟିକୁ ଆଣିଥିଲେ। ଏ ସମ୍ପର୍କରେ ସମିତି ସମ୍ପାଦକ ବିଷ୍ଣୁମୋହନ ଘଡ଼େଇଙ୍କୁ ପଚାରିବାରୁ ସମ୍ପୃକ୍ତ ମିଲ୍‌ ଚାଷୀଙ୍କଠାରୁ ଧାନ କିଣିବା ପାଇଁ ଅଖା ବସ୍ତା ଯୋଗାଇ ଦେଇ ନ ଥିବାରୁ ବାଧ୍ୟ ହୋଇ ଜରିବସ୍ତାରେ ଧାନ ନିଆଯାଉଛି ବୋଲି କହିଥିଲେ। ସରକାରଙ୍କ ସମବାୟ ବିଭାଗ ପକ୍ଷରୁ ଚଳିତ ଋତୁରେ ଜରି ବସ୍ତାରେ ଧାନ କ୍ରୟ ନ କରିବା ପାଇଁ ନିର୍ଦ୍ଦେଶାନାମା ଥିବାବେଳେ ଖୋଲାଖୋଲି ଭାବେ ଉଲ୍ଲଂଘନ କରାଯାଉଥିବା ଅଭିଯୋଗ କରି ଚାଷୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଜିଲା ଯୋଗାଣ ବିଭାଗ ଏଥିପ୍ରତି ଦୃଷ୍ଟି ଦେବାକୁ ସେମାନେ ଦାବି କରିଛନ୍ତି।