ଜରୁରୀ ସାମଗ୍ରୀ ପରିବହନ କରିବ ପୂର୍ବତଟ ରେଳପଥ

ଭୁବନେଶ୍ୱର,୩୦ା୩(ବ୍ୟୁରୋ): କରୋନା ସଂକ୍ରମଣ ମୁକାବିଲା ଲାଗି ସମଗ୍ର ଦେଶରେ ୨୧ ଦିନିଆ ଲକ୍‌ଡାଉନ୍‌ ଜାରି ରହିଥିବାବେଳେ ଅତ୍ୟାବଶ୍ୟକ ସାମଗ୍ରୀର ପରିବହନରେ ସମସ୍ୟା ସୃଷ୍ଟି ହୋଇଛି। ଏଭଳିସ୍ଥିତିରେ ପୂର୍ବତଟ ରେଳପଥ ଜରୁରୀକାଳୀନ ସାମଗ୍ରୀର ପରିବହନ ଲାଗି ସହଯୋଗର ହାତ ବଢାଇଛି। ରେଳପଥ ପକ୍ଷରୁ ସମସ୍ତ ପ୍ରକାର ମେଡିକାଲ ଉପକରଣ ସହ ଦୁଗ୍ଧଜାତ ଦ୍ରବ୍ୟ, ଗ୍ରସେରି, ତେଲ ଓ ବିଭିନ୍ନ ଖାଦ୍ୟ ସାମଗ୍ରୀର ପରିବହନ କରିବାକୁ ବ୍ୟବସ୍ଥା ହୋଇଛି। ଭାରତୀୟ ରେଳପଥର ନିଷ୍ପତ୍ତି ଆଧାରରେ ପୂର୍ବତଟ ରେଳପଥ ୨୦ଟି ପର୍ଯ୍ୟନ୍ତ ପାର୍ସଲ ଭ୍ୟାନ୍‌ ବା ଭିପିୟୁ ଥିବା ସ୍ବତନ୍ତ୍ର ଟ୍ରେନ୍‌ ଚଳାଚଳ କରିବ। ଏଥିପାଇଁ ଏହି ଟ୍ରେନଗୁଡିକର ନିର୍ଦ୍ଧାରିତ ସମୟ ସ୍ଥିର ହୋଇଥିବାବେଳେ ନୂତନ ସମୟ ପାଇଁ ଆଗ୍ରହୀ ସଂସ୍ଥା, ବ୍ୟବସାୟୀ କିମ୍ବା ବ୍ୟକ୍ତିବିଶେଷ ତୁରନ୍ତ ପୂର୍ବତଟ ରେଳପଥ ଅଧିକାରୀଙ୍କୁ ଯୋଗାଯୋଗ କରିବାକୁ କୁହାଯାଇଛି। ବିଶାଖାପଟନମ୍‌ରୁ ହାଓ୍ବଡ଼ା ପର୍ଯ୍ୟନ୍ତ ହାଇଦ୍ରାବାଦ-ହାଓ୍ବଡ଼ା ଏକ୍ସପ୍ରେସ୍‌ ଓ ବିଶାଖାପଟନମ୍‌ରୁ ଗୌହାଟୀ ପର୍ଯ୍ୟନ୍ତ ବାଙ୍ଗାଲୋର-ଗୌହାଟୀ ପାର୍ସଲ ସ୍ପେଶାଲ ଟ୍ରେନ୍‌ ଚଳାଚଳ କରିବ। ଏହାପରେ ପରିସ୍ଥିତିକୁ ଦେଖି ଚାହିଦା ମୁତାବକ ଅଧିକ ପାର୍ସଲ କାର୍ଗୋ ଟ୍ରେନ୍‌ର ଚଳାଚଳ କରିବାକୁ ରେଳପଥ ନିଷ୍ପତ୍ତି ନେବ ବୋଲି କୁହାଯାଇଛି। ପୂର୍ବରୁ ପଶ୍ଚିମ ରେଳପଥ ପକ୍ଷରୁ ଅହମ୍ମଦାବାଦରୁ କଟକ ପର୍ଯ୍ୟନ୍ତ ଏକ ସ୍ବତନ୍ତ୍ର ପାର୍ସଲ ଟ୍ରେନ୍‌ ଚଳାଚଳ କରିବାକୁ ସ୍ଥିର ହୋଇଛି।

Share